କେନ୍ଦୁଝର: ପାଞ୍ଚ ଦଫା ଦାବି ନେଇ ଧାରଣାକୁ ଓହ୍ଳାଇଲା ପିଡ଼ିଏସ ଡିଲର ସଂଘ । ପଡିକାର୍ଡଧାରୀଙ୍କୁ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଖାଉଟି ସାମଗ୍ରୀ ସୁଚାରୁ ରୂପେ ବଣ୍ଟନ କରୁଥିଲେ ମଧ୍ୟ ଡିଲରଙ୍କୁ ମିଳୁନି ପାରିଶ୍ରମିକ । କୋରୋନା ସମୟରେ ଦୀର୍ଘ 28 ମାସ ଧରି ମାଗଣାରେ କାମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରିନି ପାରିଶ୍ରମିକ । ମାତ୍ର 6 ମାସରେ ଦରମା ଦେଇ ଚୁପ ବସିଛନ୍ତି ସରକାର । ଯାହାକୁ ନେଇ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ପିଡ଼ିଏସ ଡିଲର ସଂଘର ସଦସ୍ୟ ।
କୋରୋନା ସମୟରେ ନିଜ ଜୀବନକୁ ବିପଦରେ ପକାଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ରାସନ ପ୍ରଦାନ କରିଥିଲେ ଡିଲରମାନେ । ଦୀର୍ଘ 28 ମାସ ବିନା ପାରିଶ୍ରମିକରେ ଖାଉଟି ସାମଗ୍ରୀ ବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଏ ବାବଦକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମସ୍ତ ପାରିଶ୍ରମିକ ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ଏହି ପାରିଶ୍ରମିକ ଅର୍ଥ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କୁ ପ୍ରଦାନ କରିନଥିଲେ । ଏହାର ପ୍ରତିବାଦରେ ବିକ୍ରେତା ସଂଘ ପକ୍ଷରୁ ଲୋୟର ପିଏମ୍ଜିଠାରେ ଧାରଣା ଦେବା ପରେ ସମସ୍ୟାର ସମାଧାନ ହେବା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଫେଡେରେସନକୁ ପ୍ରତିଶ୍ରୁତି ଦେଇଥିଲେ ।
ଏହି ପ୍ରଶ୍ନ ବିଧାନସଭାରେ ଉଠିବା ପରେ ଯୋଗାଣ ବିଭାଗ ମାତ୍ର ଦୀର୍ଘ ଛଅ ମାସର ପାରିଶ୍ରମିକ ପ୍ରଦାନ କରି ହାତ ବାନ୍ଧି ଚୁପ ଚାପ୍ ବସି ଯାଇଥିବା ଅଭିଯୋଗ ହୋଇଛି । ଗତ ୨୦୨୩ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଛଅ ମାସ ହେବ ଖୁଚୁରା ବିକ୍ରେୟତାମାନେ ଖାଉଟି ସାମଗ୍ରୀ ବଣ୍ଟନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭାଗ ଦରମା ମଧ୍ୟ ଦେଉନାହିଁ । ଖୁଚୁରା ବିକ୍ରେୟତାମାନେ ବିନା ପାରିଶ୍ରମିକରେ ନେଟ ଖର୍ଚ୍ଚ,ବଣ୍ଟନ ଖାତା ବାବଦ ଖର୍ଚ୍ଚ, ବଣ୍ଟନ ସହୟକ ଓ ସହାୟିକାମାନଙ୍କ ପାରିଶ୍ରମିକ, ଦୋକାନ ଘର ଭଡା ବାବଦ ଖର୍ଚ୍ଚ, ତଥା ଅନ୍ୟାନ୍ୟ ଖର୍ଚ୍ଚ ନିଜ ହାତରୁ ବହନ କରି ପଡ଼ିକାର୍ଡ଼ ଧାରୀଙ୍କୁ ନିରବଚ୍ଛିନ୍ନ ଭାବରେ ସାମଗ୍ରୀ ବଣ୍ଟନ କରି ଚାଲିଛନ୍ତି ।
ଫଳରେ ରାଜ୍ୟର ଖୁଦୁରା ବିକ୍ରେତାମାନଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ପରିତାପର ବିଷୟ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କେନ୍ଦ୍ର ସରକାରଙ୍କଠାରୁ ଏ ବାବଦରେ ସମସ୍ତ ଅର୍ଥ ପାଇ ଏହି କାର୍ଯ୍ୟରେ ନିୟୋଜିତ ରାଜ୍ୟର ପରିବହନ ଠିକାଦାରମାନଙ୍କୁ ସେମାନଙ୍କ ପାରିଶ୍ରମିକ ମାସକୁ ମାସ ପ୍ରଦାନ କରି ଚାଲିଥିଲେ ମଧ୍ୟ ଖୁଚୁରା ବିକ୍ରେୟତାମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରୁନାହାନ୍ତି । ସେହିପରି ଭାବେ ସାମଗ୍ରୀ ପହଞ୍ଚାଣ ଠାରୁ ଆରମ୍ଭ କରି ବଣ୍ଟନ ପର୍ଯ୍ୟନ୍ତ ହେଉଥୁବା ସର୍ଭେ ବାବଦକୁ କୌଣସି ଭରଣା ବିଭାଗ ପ୍ରଦାନ କରାଯାଉନାହିଁ ।
ଏନେଇ ଫେଡ଼େରେସନ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି କରିଥିଲେ ମଧ୍ୟ ସରକାର ତଥା ଯୋଗାଣ ବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ସଂଘ । ଯାହା ଫଳରେ ବର୍ତ୍ତମାନ ଖୁଚୁରା ବିକ୍ରେତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପାଞ୍ଚ ଦଫା ଦାବି ଉପସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀଏଥିରେ ହସ୍ତକ୍ଷେପ କରି ତୁରନ୍ତ ବକେୟା ଅର୍ଥ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଘ । ଗତକାଲି କେନ୍ଦୁଝର ଫେଡେରେସନ ପକ୍ଷରୁ ଶତାଧିକ ସଦସ୍ୟ ଏକ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ନମାନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
ଇଟିଭି ଭାରତ, କେନ୍ଦୁଝର