କେନ୍ଦୁଝର: ୪ ମହଲା କୋଠାରୁ ଡେଇଁ ଯୁବକର ଆତ୍ମହତ୍ୟା । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ । ଆଜି ଦିନବେଳେ ଓଜନ ଲାଇନ୍ ନିକଟରେ ଥିବା ଏକ ନିର୍ମାଣାଧୀନ ୪ ମହଲା କୋଠାର ଛାତ ଉପରୁ ଯୁବକ ଜଣକ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ଅର୍ଦ୍ଧନିର୍ମିତ ଏହି କୋଠା ପଛପଟେ ପରିତ୍ୟକ୍ତ ଅବସ୍ଥାରେ ଛପର ନଥିବା ୩ଟି ଘର ରହିଛି । ସେହି ଘର ଭିତରକୁ ଯୁବକ ଜଣକ ଡେଇଁ ପଡି ମୃତ୍ୟୁବରଣ କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକ ନିକଟବର୍ତ୍ତୀ ବୁରୁ ହଟିଂର ସୁରେନ ହେମ୍ବ୍ରମ୍ ବୋଲି ଜଣାପଡ଼ିଛି ।
ତେବେ ଘଟଣାର ସୂଚନା ପାଇ ବଡ଼ବିଲ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ମୃତକ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରୁଥିଲେ ଏବଂ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଛାନଭିନ୍ ଚଳାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ