ଆନନ୍ଦପୁର: ଆମ ସଂସ୍କୃତି ଆମ ପରିଚୟ । ବିଶେଷ କରି ଗ୍ରାମାଞ୍ଚଳରେ ଆଜିବି ପୁରାତନ ସଂସ୍କୃତି ଅଛି, ଯାହା ଆମପାଇଁ ସୃଷ୍ଟି କରେ ସ୍ବତନ୍ତ୍ର ପରିଚୟ। ରାଜ୍ୟର କୋଣଅନୁକୋଣରେ ଦେଖିବାକୁ ମିଳେ ପୁରାତନ ପରମ୍ପରାର ଝଲକ। ଏହି ପୁରାତନ ପରମ୍ପରାରେ ରହିଛି ଘୁମୁରା ନାଚ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୋରାଞ୍ଚଳ ଶୈଲଙ୍ଗ ଗ୍ରାମରେ କେଉଁ ଆଦିମ କାଳରୁ ପାଳିତ ହୋଇଆସୁଛି ଘୁମୁରା ନାଚ ପରମ୍ପରା। ଚଳିତବର୍ଷ ମଧ୍ୟ ବଡ ଧୁମଧାମରେ ପାଳିତ ହୋଇଛି ଘୁମୁରା ପର୍ବ।
ହରିନାମ ସହ ଘୁମୁରା ନାଚରେ ପୁରା ଗାଁ କମ୍ପି ଉଠୁଛି। କେନ୍ଦୁଝର ଜିଲ୍ଲା ଏଥିପାଇଁ ଉତ୍ସବ ମୁଖର ଶୈଲଙ୍ଗ ଗାଁ । କେଉଁ ଆଦିମ କାଳରୁ ପାଳିତ ହୋଇଆସୁଛି ଏହି ପୁରାତନ ପର୍ବ। ବିଶ୍ବାସ ଅଛି ଏହା ଦ୍ଵାରା ଗ୍ରାମରେ ଶାନ୍ତି ଓ ମୈତ୍ରୀ ବଜାୟ ରହେ। ଶବର ସମ୍ପ୍ରଦାୟର ଭାଇମାନେ ନିଜର ପରମ୍ପରା ଘୁମୁରା ବାଦ୍ୟକୁ ପୂଜା କରି ଗ୍ରାମଦେବୀ ପାଖରେ ଡାଳଭାଙ୍ଗି ଉତ୍ସବ ପାଳନ କରନ୍ତି ।
ଏହି ଉତ୍ସବର ବିଶେଷ ଆକର୍ଷଣ ଗ୍ରାମ ଭ୍ରମଣ । ସଜେଇ ହୋଇ ଭାଇମାନେ ଘୁମୁରା ବାଦ୍ୟ ବଜାଇ ସୁନ୍ଦର ଗୀତ ଗାଇ ଗ୍ରାମ୍ୟ ଭ୍ରମଣ କରିଥାନ୍ତି । ମା ମାନେ ଶଙ୍ଖ ହୁଳହୁଳି କରି ସେମାନଙ୍କୁ ବନ୍ଦାପନା କରନ୍ତି। ଏହାକୁ ଦେଖିବାକୁ ଲୋକମାନଙ୍କର ଭିଡ ଜମିଥାଏ । ଏହି ପର୍ବ ଗହ୍ମାପୁନେଇଁ ଠାରୁ ୭ଦିନ ପର୍ଯ୍ୟନ୍ତ ହେବା ସହ ଆଖପାଖର ୫ ଖଣ୍ଡ ଗ୍ରାମ ମଧ୍ୟ ବୁଲିଥାନ୍ତି ଭାଇମାନେ। ନିଜ କଳା ସଂସ୍କୃତିକୁ ବଞ୍ଚାଇବା ସହ ବହୁ ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳନ କରିଥାନ୍ତି ଶବର ଭାଇମାନେ । ଶେଷରେ ସମସ୍ତେ ଏକ ହୋଇ ଭୋଜିଭାତ କରି ଏକାଠି ଖାଇଥାନ୍ତି।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ