କେନ୍ଦୁଝର: ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସୋମବାର ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ସହ ଅନଶନ କରିଛନ୍ତି । ଏହି ଆନ୍ଦୋଳନରେ ଓଡିଶା ପ୍ରଦେଶ କଂଗ୍ରେସର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ସାମିଲ ହୋଇ ରାଜ୍ୟ ସରକାରଙ୍କ କୃଷି ଆଇନକୁ ଦୋମୁହାଁ ନୀତି ବୋଲି କହିଛନ୍ତି ।
କୃଷକଙ୍କ ଏହି ଆନ୍ଦୋଳନକୁ ଓଡିଶା ପ୍ରଦେଶ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି । ଏହି ଆନ୍ଦୋଳନରେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ କେନ୍ଦୁଝର ନବନିର୍ମାଣ କୃଷକ ସଂଗଠନ ଓ ଓଡିଶା କୃଷକ ସଭାର ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଆନ୍ଦୋଳନରେ ସାମିଲ ହୋଇ କୃଷି ଆଇନକୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି କହି ସରକାରଙ୍କୁ ସମାଲୋଚନା କରିଥିଲେ ।
କେନ୍ଦ୍ରର ସମସ୍ତ ଆଇନକୁ ରାଜ୍ୟ ସରକାର ଖୋଲାଖୋଲି ସମର୍ଥନ କରୁଥିବାରୁ ଦୁହେଁ ଏକ ବୋଲି ନିରଞ୍ଜନ ପ୍ରକାଶ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ ଏହି ଚାଷୀ ବିରୋଧୀ ଆଇନକୁ ପ୍ରତ୍ୟାହାର କରିବାକୁ ନିରଞ୍ଜନ ଦାବି କରିବା ସହ ଚାଷୀ ସହ କଂଗ୍ରେସ ସବୁବେଳେ ଅଛି ବୋଲି ସେ କହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ