କେନ୍ଦୁଝର: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିଛି । ରାଜ୍ୟରେ ଶାସକ ବିଜେଡି ଆଗୁଆ ପ୍ରସ୍ତୁତ ଥିବା ବେଳେ କଂଗ୍ରେସ ଓ ବିଜେପି ଦଳ ମଧ୍ୟ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଲେଣି । ଏହାରି ମଧ୍ୟରେ ଓଡ଼ିଶାରେ ଚାଷୀ ସଂଗଠନ ଭାବେ କାର୍ଯ୍ୟ କରିଥିବା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୋ ଦଳ ଆରମ୍ଭ କରାଯାଇଛି । ଚାଷୀ, ମହିଳା ଓ ଗରିବଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଛି ଏହି ଦଳ । ତେବେ ଏନେଇ ସାଧାରଣ ଲୋକଙ୍କ ସରକାର ଗଠନ ଲକ୍ଷ ରଖି ମୋ ଦଳ ସାରା ରାଜ୍ୟରେ ତାର ସାଂଗଠନିକ ସମ୍ମିଳନୀ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏନେଇ ଗତକାଲି ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଶେଷଦେବ ନନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦୁଝରରେ ଜିଲ୍ଲା ସ୍ଥରୀୟ ସାଂଗଠନିକ ସମ୍ମିଳନୀ କାର୍ଯ୍ୟକ୍ରମ ହୋଇଯାଇଛି ।
ତେବେ ଏହି ରାଜନୈତିକ ଦଳ ଚାଷୀ ସଂଗଠନ, ସାମାଜିକ କର୍ମୀମାନଙ୍କ ସହଭାଗିତାରେ ଗଠନ ହୋଇଛି । ପାରମ୍ପରିକ ରାଜନୀତି, ଶୋଷଣ ଅତ୍ୟାଚାର ବିରୁଦ୍ଧରେ ପ୍ରଗତିଶୀଳ, ବିପ୍ଳବୀ ସାଧାରଣ ଜନତାଙ୍କ ଦଳ ଭାବେ ଏହି ମୋ ଦଳ ଲଢେଇ କରିବ । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଉମାକାନ୍ତ ଭାରତଙ୍କ ସହ ବହୁ ଜିଲ୍ଲା ସ୍ଥରୀୟ କର୍ମକର୍ତ୍ତା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଗର୍ଜିଥିଲେ । ରାଜ୍ୟରେ ଶାସକ ବିଜେଡି ଓ ବିଜେପି ମିଳିତ ହୋଇ ସାଧାରଣ ଲୋକଙ୍କୁ ଭକୁଆ ବନାଉଥିବା ବେଳେ କଂଗ୍ରେସ ଦଳ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ କରୁନଥିବା ଅଭଯୋଗ କରିଛି ମୋ ଦଳ ।
ଏହା ମଧ୍ୟ ପଢନ୍ତୁ- ‘ମୋ ଦଳ’ର କର୍ମକର୍ତ୍ତା ଘୋଷିତ, ଦଳର ସଭାପତି ହେଲେ ନିତ୍ୟ ସୁନ୍ଦର ଦାସ
ଏଥିପାଇଁ ମୋ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । କେନ୍ଦୁଝର ଜିଲ୍ଲାରେ ପାଟଣା, ସଦର, ତେଲକୋଇ , ଚମ୍ପୁଆ ବିଧାନସଭା ଆସନରେ ସଂଗଠନ ମଜଭୁତ ଥିବା ବେଳେ ଲୋକସଭା ଆସନରେ ମଧ୍ୟ ମୋ ଦଳ ତାର ପ୍ରାର୍ଥୀ ଛିଡ଼ା କରିବ ବୋଲି ମୋ ଦଳ ପକ୍ଷରୁ କୁହାଯାଇଛି । ସେହିପରି ଗତକାଲି ମୋ ଦଳ ପକ୍ଷରୁ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ଇଟିଭି ଭାରତ, କେନ୍ଦୁଝର