କେନ୍ଦୁଝର: ଦିନକୁ ଦିନ କୋରୋନାର ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ କୋଭିଡ଼ କେୟାର ସେଣ୍ଟରର ବ୍ୟବସ୍ଥା କରାଯାଇଛି । ଏହା ସହ କୋଭିଡ଼ ହସ୍ପିଟାଲ ଜିଲ୍ଲା ମୁଖ୍ୟାଳୟ ଓ ଯୋଡ଼ାରେ ପ୍ରସ୍ତୁତ କରାଯାଇଛି । ଏହି କୋଭିଡି କେୟାର ସେଣ୍ଟର (ସିସିସି) ଓ କୋଭିଡ଼ ହସ୍ପିଟାଲ ଗୁଡିକରେ ଆବଶ୍ୟକ ମୁତାବକ କର୍ମଚାରୀ ନଥିବା ଯୋଗୁଁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହା ସହ ଏଗୁଡିକରେ ସୁପରିଚାଳନା ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି ।
ଏନେଇ ପ୍ରତିବାଦ ଜଣାଇଛି ଜିଲ୍ଲା ଓକିଲ ସଂଘ । ଜିଲ୍ଲା ଓକିଲ ସଙ୍ଘର ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଓକିଲ ସଙ୍ଘ ପକ୍ଷରୁ ଏହାର ସୁପରିଚାଳନା ଓ ମୌଳିକ ସୁବିଧା ନେଇ ବହୁ ପ୍ରସ୍ତାବ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିଲା ।
ଜିଲ୍ଲାପାଳ ଆଶିଷ ଠାକରେ ଏନେଇ ଯଥାଶୀଘ୍ର ସିସିସି ସେଣ୍ଟର ଓ କୋଭିଡ଼ ହସ୍ପିଟାଲରେ ଥିବା ଅସୁବିଧାକୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲା ଓକିଲ ସଂଘକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ମହାମାରୀ ପରିସ୍ଥିତିରେ ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନକୁ ସହଯୋଗ କରାଯିବ ବୋଲି ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପ୍ରକାଶ କରାଯାଇଛି । ଜିଲ୍ଲା ଓକିଲ ସଂଘ ପକ୍ଷରୁ କୋଭିଡ଼ ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ସହ ନିୟମିତ ତର୍ଜମା କରାଯିବ ବୋଲି ଜିଲ୍ଲା ଓକିଲ ସଂଘର ସମ୍ପାଦକ ଆଲୋକ ମହାନ୍ତ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତାଷ କୁମାର ମହାପାତ୍ର, ଇଟିଭି ଭାରତ