କେନ୍ଦୁଝର: ଆଧୁନିକ ଚାକଚକ୍ୟ ମଧ୍ୟରେ ଆଜିବି ହଜିନି ଜୁଆଙ୍ଗଙ୍କ ନିଆରା 'ଚକମକି'। ନିଜର ନିଆରା ପରମ୍ପରା ଓ ସଂସ୍କୃତି ପାଇଁ ବହୁ ଜାତିର ଆଜିବି ରହିଛି ସ୍ଵତନ୍ତ୍ରତା ରହିଛି । ଏହି ସ୍ୱତନ୍ତ୍ରତା ମଧ୍ୟରେ ନିଜର ସବୁଠୁ ଆଦିମ ଜନଜାତି ଭାବେ ପରିଚିତ ଜୁଆଙ୍ଗ ଜନଜାତି ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । କେନ୍ଦୁଝର ଜିଲ୍ଲାରେ ଗଙ୍ଗା ନଦୀଠାରୁ ପୁରାତନ ବୈତରଣୀ ନଦୀର ଉତ୍ପତିସ୍ଥଳରେ ଆଦିମ ଜନଜାତି ଜୁଆଙ୍ଗ ବସବାସ କରନ୍ତି । ଏହି ଜୁଆଙ୍ଗ ଜନଜାତିର ଲୋକମାନେ ଆଜିର ଆଧୁନିକ ଚାକଚକ୍ୟ ମଧ୍ୟରେ ସେମାନଙ୍କ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି ।
ମଜାଙ୍ଗ ମଧ୍ୟରେ ଚାଙ୍ଗୁରୁ ଆରମ୍ଭ କରି ଅହୋରାତ୍ର ଜଳୁଥିବା ଧୂନି ଜାଳିବା ଭଳି ପରମ୍ପରା ମଧ୍ୟ ଏବେବି ବଜାୟ ରଖିଛନ୍ତି ଏହି ଜନଜାତିର ଲୋକେ । ଏହାସହ ସେମାନଙ୍କ ନିତିଦିନିଆ ଚଳଣିରେ ମଧ୍ୟ ପାରମ୍ପରିକତାକୁ ବଜାୟ ରଖି ଆସୁଛନ୍ତି ଜୁଆଙ୍ଗ ଲୋକମାନେ । ଏହି ପାରମ୍ପରିକ ଜିନିଷ ମଧ୍ୟରେ 'ଚକମକି' ହେଉଛି ଅନ୍ୟତମ । ଆଜିର ଦିଆସିଲ କି ଲାଇଟର ଯୁଗରେ ସେମାନେ ନିଆଁର ଉତ୍ସ ଭାବେ 'ଚକମକି'ର ବ୍ୟବହାର ଭୁଲି ନାହାନ୍ତି । ବିଶେଷ କରି ଏହି ଜୁଆଙ୍ଗ ଜନଜାତି ବୟସ୍କ ବ୍ୟକ୍ତି ଏହି ଚକମକିକୁ ବ୍ୟବହାର କରିଥାନ୍ତି ।
ଧୂମ୍ରପାନ କରିବା ପାଇଁ ଏହି 'ଚକମକି' ବ୍ୟବହାର କରାଯାଏ । ଏହା ଏକ ବାଉଁଶ ନଳରେ ନିର୍ମିତ ହୋଇଥାଏ । ଏକ ଛୋଟ ବାଉଁଶ ନଳୀର ଏକ ପାର୍ଶ୍ଵରେ ଶିମିଳି ତୁଳା ଥିବାବେଳେ ଅନ୍ୟପଟେ ଝକମକି ପଥର ଖଣ୍ଡ ରହିଥାଏ । ଏହାର ଦୁଇ ପାର୍ଶ୍ୱକୁ ଚମଡ଼ା ଖୋଳରେ ବନ୍ଦ କରାଯାଇଥାଏ । ଏହାସହ ଏକ ଲୁହା ଖଣ୍ଡ ବନ୍ଧା ହୋଇଥାଏ । ଯେତେବେଳେ ନିଆଁର ଆବଶ୍ୟକ ହୋଇଥାଏ ଝକମକି ପଥରକୁ ଲୁହା ସାହାଯ୍ୟରେ ଘଷି ଶିମିଳି ତୁଳାରେ ନିଆଁ ଲଗାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ...ପ୍ରଥମାଷ୍ଟମୀରେ ନିଆରା ପରମ୍ପରା, ନୂଆବସ୍ତ୍ର ପିନ୍ଧି ପାହାଡ଼ରୁ ଟେକା ପଥର ଗଡାନ୍ତି ପୋଢୁଆଁ ପୁଅଝିଅ
ଆଉ ଏହି ନିଆଁକୁ ଫୁଙ୍କି ଧୁମ୍ରପାନ କି ମଣ୍ଡଘରେ ଥିବା କାଠଖଣ୍ଡ ଜଳାଇବାରେ ବ୍ୟବହାର କରିଥାନ୍ତି ଜୁଆଙ୍ଗ ଲୋକମାନେ । କାହିଁ କେଉଁ କାଳରୁ ଏହାକୁ ବ୍ୟବହାର କରୁଛନ୍ତି ଜୁଆଙ୍ଗ ଅଧିବାସୀ । ପ୍ରତିଦିନ ମାଚିସ୍ କି ଲାଇଟର ପାଇଁ ଟଙ୍କାର ଆବଶ୍ୟକତା ଥିବାବେଳେ ଏହି 'ଚକମକି' ନିଆଁର ଉତ୍ସ ଭାବେ ସେମାନଙ୍କ ପାଇଁ ସହାୟକ ହୋଇଛି । "ଯେପର୍ଯ୍ୟନ୍ତ ହୋଇପାରିବ ଏହି ପାରମ୍ପରିକ ମାଚିସ୍ ବ୍ୟବହାର କରିବୁ" ବୋଲି ଅତି ବିଶ୍ୱାସର ସହ ପ୍ରକାଶ କରିଛନ୍ତି ଜୁଆଙ୍ଗ ଅଧିବାସୀ । ଏନେଇ ଆଦିବାସୀ ଗବେଷକ କହିଛନ୍ତି, "ସରକାର ଏହି ଜନଜାତିଙ୍କ ଉତ୍ଥାନ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ତଥାପି ସମ୍ପ୍ରଦାୟର ବିଶ୍ୱାସ ଓ ଆସ୍ଥାକୁ ବଜାୟ ରଖିବାକୁ ଜୁଆଙ୍ଗ ଜନଜାତି ଏହି 'ଚକମକି'ର ବ୍ୟବହାର କରିଆସୁଛନ୍ତି ।"
ଇଟିଭି ଭାରତ, କେନ୍ଦୁଝର