କେନ୍ଦୁଝର: ଭାରତ ଆଜି ମହାକାଶ ଵିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛି । ନିଜସ୍ବ ଜ୍ଞାନ କୌଶଳ ବିକାଶ କରି ମହାକାଶରେ ଆଧିପତ୍ୟ ବିସ୍ତାର କରିପାରିଛି । ଏହି ସଫଳତା ପଛରେ ଦେଶର ବୈଜ୍ଞାନିକଙ୍କ କଠିନ ପରିଶ୍ରମ ରହିଛି । ଇସ୍ରୋ ମଙ୍ଗଳ ଗ୍ରହକୁ ରକେଟ ପଠାଇ ହେଉ ବା ଅନ୍ତରୀକ୍ଷରେ ଅନେକ ସାଟେଲାଇଟର ସଫଳ ସ୍ଥାପନା କରିବା, ସବୁଥିରେ ଦେଶର ସ୍ବଦେଶୀ ଜ୍ଞାନ କୌଶଳ କମାଲ କରିଛି । ନିକଟରେ ଚନ୍ଦ୍ରକୁ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ଚନ୍ଦ୍ରାୟାନ -୨ ପଠାଯାଇଛି । ଯାହା ଏବେ ଚନ୍ଦ୍ରରେ ସଫଳ ଅବତରଣ କରିବାକୁ ଯାଉଛି ।
‘ଚନ୍ଦ୍ରାୟନ-2’ ମିଶନରେ ଭାରତର ବହୁ ବୈଜ୍ଞାନିକ ମାନେ ସାମିଲ ହୋଇଛନ୍ତି । ଏହି ବୈଜ୍ଞାନିକଙ୍କ ମଧ୍ୟରେ ଆଉ ଜଣେ ଓଡିଆ ପୁଅ ତଥା କେନ୍ଦୁଝର ସହରର ମାଗୁର ଗାଡିଆ ସାହିର ଅଟଳ କୃଷ୍ଣ ଖଟୁଆ ମଧ୍ୟ ସାମିଲ ଅଛନ୍ତି । ଅଟଳକୃଷ୍ଣ ଇସ୍ରୋର ରିଲାଇବିଲିଟି ବିଭାଗରେ ଦୀର୍ଘ ୬ ବର୍ଷ ହେଲା ବୈଜ୍ଞାନିକ ଭାବେ କାମ କରୁଛନ୍ତି । ଏଥିପାଇଁ ତାଙ୍କୁ ସବୁବେଳେ ଥିରୁଅନନ୍ତପୁରମରୁ ଶ୍ରୀହରିକୋଟା ଯିବାକୁ ପଡ଼ୁଥିଲା । ଅଟଳ କୃଷ୍ଣ ଚନ୍ଦ୍ରାୟନ-୨ ପାଇଁ କ୍ରାୟୋଜନିକ ଷ୍ଟେଜ ଓ ଥର୍ମାଲ ପ୍ରୋଟେକସନ ସିଷ୍ଟମ ବିଭାଗର ଦାୟିତ୍ବରେ ଥିଲେ । କ୍ରାୟୋଜନିକ ଷ୍ଟେଜରେ ତରଳ ଇନ୍ଧନ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥା କରିବା ଥିଲା ତାଙ୍କର ମୁଖ୍ୟ ଦାୟିତ୍ବ ।
କେନ୍ଦୁଝର ସହରର ମୂଳବାସୀନ୍ଦା ଅଟଳ କେନ୍ଦୁଝର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ପ୍ରାଥମିକ ଶିକ୍ଷା ଶେଷ ପରେ କଟକରୁ ଯୁକ୍ତ ଦୁଇ ଓ ପରେ କେରଳର ଥିରୁଅନନ୍ତପୁରମରୁ ଉଚ୍ଚଶିକ୍ଷା ସାରି ଇସ୍ରୋରେ ଯୋଗଦେଇଛନ୍ତି । ବାପା ଅମରବର ଖଟୁଆ ଜଣେ ଇଂଞ୍ଜିନିୟର ଥିବା ବେଳେ ମା ସରୋଜିନୀ ପୃଷ୍ଟି ଜଣେ ଅଧ୍ୟାପିକା । ସେହିପରି ଭଉଣୀ ମଧ୍ୟ ଜଣେ କେମିକାଲ ଇଂଞ୍ଜିନିୟର ଭାବେ ପୁଣେରେ କାର୍ଯ୍ୟରତ । ପୂର୍ବରୁ ଚନ୍ଦ୍ରଯାନ-2 ପାଇଁ ଆଉ ଜଣେ ଓଡିଆ ବୈଜ୍ଞାନିକ କାମ କରିଥିବା ଜଣାପଡିଥିଲା । ଆଉ ଏବେ ଆଉ ଜଣେ ଏଥିରେ ସାମିଲ ଥିବା ଜଣାପଡିବା ପରେ ସାରା ରାଜ୍ୟବାସୀ ଗର୍ବିତ । ଏହାସହ ପରିବାର ପାଖକୁ ଛୁଟୁଛି ପ୍ରଶଂସାର ସୁଅ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ