କେନ୍ଦୁଝର: ଦିନକୁ ଦିନ ପରିବେଶ ପ୍ରଦୂଷଣ ବଢିବା ସହ ବଢି ଚାଲିଛି କଂକ୍ରିଣ୍ଟ ଜଙ୍ଗଲ । ଯାହାଦ୍ବାରା ବିଲୁପ୍ତ ହେବାକୁ ବସିଲେଣି ଅନେକ ପକ୍ଷୀ । ଆଗଭଳି ଆଉ ଗଛଡାଳରେ ସେମାନଙ୍କୁ ଦେଖିବାକୁ ମିଳୁନି କି ସେମାନଙ୍କ କିଚିରି ମିଚିରି ଶବ୍ଦ ଶୁଣିବାକୁ ମିଳୁନି । ହେଲେ କିଛି ପରିବେଶ ପ୍ରେମୀ ଅଛନ୍ତି ଯେଉଁମାନେ ଏମାନଙ୍କ ସୁରକ୍ଷା ପାଇଁ ଅନୂକୂଳ ପରିବେଶ ସୃଷ୍ଟି କରିଥାନ୍ତି । ଏମିତି କିଛି ନିଆରା ପ୍ରୟାସ କରିଛନ୍ତି କେନ୍ଦୁଝର ପାଟଣା ବ୍ଲକ ଜଡିଜାତ ଗ୍ରାମର ଯୁବକମାନେ ।
ନିଜ ଗ୍ରାମ ସହ ଆଖପାଖ ଗ୍ରାମରେ ଥିବା ବିଭିନ୍ନ ପ୍ରକାର ଗଛରେ କୃତ୍ରିମ ପକ୍ଷୀ ବସା ତିଆରି କରୁଛନ୍ତି। ବିଭିନ୍ନ ସ୍ଥାନରୁ କାଠିକୁଟା ସଂଗ୍ରହ କରି ଏଥିରେ କୁତ୍ରିମ ବସା ତିଆରି କରି ଗଛର ସୁରକ୍ଷିତ ସ୍ଥାନ ଦେଖି ବସେଇଥାନ୍ତି । ପକ୍ଷୀ ମାନେ ସ୍ବତନ୍ତ୍ର ଭାବେ ନିଜ ବସା ବାନ୍ଧୁଥିବା ବେଳେ ଏହି କୁତ୍ରିମ ବସାକୁ ମଧ୍ୟ ସେମାନେ ଧୀରେ ଧୀରେ ଗ୍ରହଣ କରିଦେଉଥିବା ଜଣା ପଡ଼ିଛି ।
ପାଟଣା ବ୍ଲକ ଜଡିଚାତର ଗ୍ରାମର କିଛି ନାବାଳକ ଯୁବକଙ୍କୁ ନେଇ ବିର୍ସା ମୁଣ୍ଡା ଇକୋ ସେଭର ୟୁଥ ନେଟୱର୍କ ଗଠନ କରାଯାଇଛି । ଏହାର ସଦସ୍ୟମାନେ ଆଖପାଖ ଗ୍ରାମରେ ଗ୍ରାମବାସୀମାନଙ୍କୁ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କୁ କଳରବରେ ବାନ୍ଧି ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କୁତ୍ରିମ ବସା କରିବାର ଲକ୍ଷ ହେଲା ବିଭିନ୍ନ ପକ୍ଷୀମାନଙ୍କୁ ଗାଁ ମୁହାଁ କରାଇବା । ଏହି ନେଟୱାର୍କର ଯୁବକ ମାନେ ଖାଲି ବସା ନ ବାନ୍ଧି ଏହାକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି । ଏହା ସହ ଗାଁ ଗାଁ ରେ ସବୁଜ ବନାନୀ ଫେରାଇ ଆଣିବାକୁ ଚାରା ରୋପଣ ମଧ୍ୟ କରୁଛନ୍ତି । ଏହି ଗ୍ରାମୀଣ ଯୁବକଙ୍କୁ ଏଥିରେ ପ୍ରେରଣା ଦେବା ସହ ସହଯୋଗର ହାତ ବଢାଇଛି ପିକକ ସ୍ବେଛାସେବୀ ସଂଗଠନ । ପିକକ ସହଯୋଗରେ ଜଡ଼ିଚାତର ଓ ଆଖପାଖ ଗ୍ରାମରେ ଯୁବକ ମାନେ ଏହି ଭଳି ପକ୍ଷୀ ବସା ତିଆରି କରୁଥିବା ଦେଖିବାକୁ ମିଳିଛି।
ଦିନକୁ ଦିନ ପରିବେଶ ସନ୍ତୁଳନ ବିଗୁଡୁ ଥିବା ବେଳେ ବାସ ହରାଉଛନ୍ତି ଟିକି ଟିକି ପକ୍ଷୀ । ଏପରିସ୍ଥଳେ ଏହି ଯୁବକମାନେ ଏମାନଙ୍କ ପାଇଁ ଘର ଖଣ୍ଡିଏ ଯୋଗାଇଦେବା ଭଳି ପ୍ରୟାସ ଅନ୍ୟ ପରିବେଶ ପ୍ରେମୀମାନଙ୍କ ପାଇଁ ପ୍ରେରଣା ଦାୟୀ ନିଶ୍ଚୟ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ