ଆନନ୍ଦପୁର: ଆଜି ହେଉଛି ଗ୍ରହରାଜ ଶନିଦେବଙ୍କର ପବିତ୍ର ଦିନ । ଆଜିର ଦିନରେ ଶନିଦେବଙ୍କୁ ଶାନ୍ତି କରିବା ପାଇଁ ସବୁ ଶନିପୀଠରେ ଚାଲିଛି ପୂଜାଅର୍ଚ୍ଚନା । ଏଥିରୁ ମଧ୍ୟ ବାଦ ପଡ଼ିନାହିଁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସରେଇଁ ଗ୍ରାମର ଶନି ମହାଦେବଙ୍କ ପୀଠ ।
ଆଜି ସକାଳୁ ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ କୁଶେଇ ନଦୀରୁ ଜଳ ଆଣି ଶନିଙ୍କ ପୀଠରେ ଅର୍ପଣ କରିଛନ୍ତି । ଶନିଙ୍କୁ ଉପାସନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଶ୍ରଦ୍ଧାଳୁମାନଙ୍କ ବିଶ୍ବାସ ରହିଛି ।
ତେବେ ବୈଶାଖ ମାସର ଶେଷ ଶନିବାରରେ ଶନିଦେବଙ୍କ ଏହି ବ୍ରତ ପାଳନ କରାଯାଏ । ମାସର ପ୍ରତ୍ୟେକ ଶନିବାର ବ୍ରତ ପାଳନ କରି ଆଜିର ଦିନରେ ବ୍ରତ ଶେଷ କରାଯାଇଥାଏ । ଏହି ଦିନରେ ଚଳଚଞ୍ଚଳ ହୋଇ ଉଠିଥାଏ ସମସ୍ତ ଶନିପୀଠ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ