କେନ୍ଦୁଝର: ନକଲି ଟ୍ରାଞ୍ଜିଟ୍ ପାଶରେ ଝାଡ଼ଖଣ୍ଡକୁ ଲୁହାପଥର ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ବଡବିଲ ପୋଲିସ ୨ଟି ଲୁହାପଥର ବୋଝେଇ ଡମ୍ପର ମଧ୍ୟ ଜବତ କରିଛି ।
ପୋଲିସ ବିଶେଷ ସୁତ୍ରରୁ ଖବର ପାଇବା ପରେ ଉକ୍ତ ଟ୍ରକକୁ ପିଛା କରି ସୀମାବର୍ତ୍ତୀ ବେଲକୁଣ୍ଡି ନିକଟରେ ୨ଟି ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା । ୨ଜଣ ଅଭିଯୁକ୍ତଙ୍କ ନାମ ବଲାଣୀର ସେଖ୍ ହଫିଜୁଲ ରେହେମାନ୍ ଓରଫ୍ ବାବୁ ଖାନ୍ ଓ ବଡ଼ବିଲ ଠାକୁରାଣୀ ଅଞ୍ଚଳର ବିକି ସାହୁ ବୋଲି ଜଣାପଡିଛି ।
କାଗଜପତ୍ର ଯାଞ୍ଚ ସମୟରେ ପୋଲିସ ବ୍ୟସ୍ତତାର ସୁଯୋଗ ନେଇ ଗାଡ଼ିର ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲେ ବୋଲି ବଡ଼ବିଲ ଏସଡିପିଓ ଦିଲିପ ଚନ୍ଦ୍ର ବାଗ୍ ସୂଚନା ଦେଇଛନ୍ତି ।
ଜବତ ଲୁହାପଥରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଥିବା ସହ ଅଧିକ ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହପାତ୍ର, ଇଟିଭି ଭାରତ