କେନ୍ଦୁଝର: କୋରୋନା ସାରା ଦେଶରେ ମହାମାରୀ ଭୟଙ୍କର ରୂପ ନେଇଛି । ଏହି ମହାମାରୀ ପାଇଁ ସରକାର ବିଭିନ୍ନ ସମୟରେ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରୁଛନ୍ତି । ଅନଲକ-3 ରେ ସାଧାରଣ ନାଗରିକଙ୍କ ପାଇଁ ବହୁ ନିୟମକୁ ସରକାର କୋହଳ କରିଥିବା ବେଳେ ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ନିୟମକୁ ସାମାନ୍ୟ କୋହଳ କରିଛନ୍ତି । ଚଳିତ ବର୍ଷ ସ୍ବାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି ।
ଜିଲ୍ଲାରେ ଅନଲକ ୩ ପରେ ଜୁଲାଇ ମାସ ପରେ ଅଗଷ୍ଟ ମାସରେ ସାପ୍ତାହିକ ସଟଡାଉନ ଜାରି ରହିଛି । ଚଳିତ ବର୍ଷ ସ୍ବାଧୀନତା ଦିବସ ଏହି ସଟଡାଉନ ମଧ୍ୟରେ ପଡ଼ୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସ୍ବାଧୀନତା ଦିବସ ପାଳନ ସଟଡାଉନ ମଧ୍ୟରେ ସକାଳ 6 ରୁ ଦିନ 11 ଟା ପର୍ଯ୍ୟନ୍ତ ପାଳିତ ହୋଇପାରିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଏହି ସ୍ବାଧୀନତା ଦିବସ ପାଳନ ସମୟରେ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦେବା ସହ 10 ରୁ ଊର୍ଦ୍ଧ୍ବ ଲୋକ ଏକାଠି ନହେବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ନିୟମ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପାଳନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସରେ ମଧ୍ୟ ଗାଇଡଲାଇନ ଅନୁସାରେ କେବଳ ପୋଲିସବାହିନୀ ପକ୍ଷରୁ ସଲାମୀ ପ୍ରଦାନ କରାଯିବ ।
ଚଳିତ ବର୍ଷ କୃଷି ମନ୍ତ୍ରୀ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିବାବେଳେ କେବଳ ପଚାଶ ଜଣ କୋରୋନା ଯୋଦ୍ଧା ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜନ ସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ସଟଡାଉନ ଦିନ 11 ଟା ପରେ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ