ଆନନ୍ଦପୁର: ଅଧାପନ୍ତରିଆ ହୋଇ ଦୀର୍ଘ ୧୫ ବର୍ଷ ଧରି ପଡି ରହିଥିଲା ପୋଲ । ୩ଟି ପଞ୍ଚାୟତର ଲୋକମାନେ ଯାତାୟତ ପାଇଁ ନାନାଦି ହଇରାଣ ହରକତ ହେଉଥିଲେ । ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତା କେହି ଶୁଣୁ ନଥିଲେ । ଚାକିରିରୁ ଅବସର ପରେ ପେନସନ୍ ଟଙ୍କାରେ ପୋଲ ସମ୍ପୂର୍ଣ୍ଣ କରିବାକୁ ମନସ୍ଥ କରିଥିଲେ । ଏହାସହ ଦେଖାଇଲେ କାନପୁର ଗାଁର ଗଙ୍ଗାଧର । ଏବେ ତାଙ୍କ ଏହି ସମାଜସେବା ମନୋଭାବ ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କାନପୁର ଗାଁ । ଲୋକମାନଙ୍କର ଦୀର୍ଘ ଦିନର ସ୍ବପ୍ନ ଏବେ ସଫଳ ହୋଇଛି । ସାଳନ୍ଦୀ ନଦୀ ଉପରେ ଥିବା ଅସମ୍ପୁର୍ଣ୍ଣ ପୋଲ ଗାଁର ଗଙ୍ଗାଧର ରାଉତଙ୍କ ପ୍ରଚେଷ୍ଟାରେ ଏବେ ସମ୍ପୂର୍ଣ୍ଣ ହୋଇଛି । ପ୍ରାଣୀଧନ ନିରୀକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ଗଙ୍ଗାଧର ନିଜ ପେନସନ୍ ଟଙ୍କାରେ ଅସମ୍ପୁର୍ଣ୍ଣ ପୋଲକୁ ପୁରା କରିବାକୁ ପଦକ୍ଷେପ ନେଇଥିଲେ । ଏବେ ତାହା ବାସ୍ତବତାର ଚିତ୍ର ନେଇଛି । ସାଳନ୍ଦୀ ନଦୀର ଅପର ପାର୍ଶ୍ବରେ ଲୋକଙ୍କର ତୋଟାବାଡି ସହ ଧାନ ଜମି ଆଦି ରହିଥିଲା । ଏଥିସହ ଏହି ପୋଲ ଦ୍ବାରା ସୋସୋ,ପଢିଆରୀପଲ୍ଲୀ,ବାଲିବରେଇ ପଞ୍ଚାୟତର ଲୋକମାନେ ଉପକୃତ ହୋଇଛନ୍ତି ।
ଗଙ୍ଗାଧର ପେନସନ୍ ଟଙ୍କାରେ କାର୍ କିଣି ଅବସର ବିନୋଦନ ପାଇଁ ଲକ୍ଷ୍ୟ ରଖିଥିଲେ । ମାତ୍ର ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୋଲ ନିର୍ମାଣ କାର୍ଯ୍ୟରେ ନିଜ କଷ୍ଟ ଅର୍ଜିତ ଧନ ବ୍ୟୟ କରିଛନ୍ତି । ଏଭଳି ବଦାନ୍ୟତା ପାଇଁ ସେ ଅଞ୍ଚଳବାସୀଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ପୋଲଟିର ଦୁଇ ପାର୍ଶ୍ବ ରାସ୍ତା ଯଦି ସରକାର କରିଦିଅନ୍ତେ ତେବେ ତାଙ୍କ ଆଶା ସଫଳ ହୁଅନ୍ତା ବୋଲି କହିଛନ୍ତି ଗଙ୍ଗାଧର । ତେବେ ଗଙ୍ଗାଧରଙ୍କ ଭଳି ମହତ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ନିସ୍ବାର୍ଥପର ସେବାର ବଳିଷ୍ଠ ପ୍ରମାଣ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀଙ୍କ ସହ କେନ୍ଦୁଝରରୁ ସନ୍ତୋଷ ମହାପାତ୍ରଙ୍କ ରିପୋର୍ଟ ଇଟିଭି ଭାରତ