କେନ୍ଦୁଝର: ରାତି ପାହିଲେ ସାବିତ୍ରୀ ବ୍ରତ । ପ୍ରତ୍ୟେକ ହିନ୍ଦୁ ନାରୀ ନିଜ ସ୍ବାମୀର ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଥାଏ । ଶାଢୀ, ଶଙ୍ଖା, ସିନ୍ଦୁର ଓ ଫୁଲ ଫଳ ଦେଇ ପୂଜା କରିଥାଏ । ଏହି ଉପଲକ୍ଷେ କେନ୍ଦୁଝର ସହରର ଫଳ ବଜାରରେ ଲାଗିଛି ଲୋକଙ୍କ ପ୍ରବଳ ଭିଡ଼ । ଏହା ମଧ୍ୟରେ ଜଙ୍ଗଲୀ ଫଳର ଆସର ରାସ୍ତା କଡ଼ ତଥା ହାଟ ବଜାରରେ ଦେଖିବାକୁ ମିଳୁଛି । ବନବାସୀ ଜଙ୍ଗଲ ଓ ପାହାଡ଼ରୁ ସଂଗ୍ରହ କରିଥିବା ଫଳମୂଳକୁ ବୋଝରେ ବୋହି ସହରକୁ ଆଣି ବିକ୍ରି କରୁଛନ୍ତି ।
ଜଙ୍ଗଲରୁ ସଂଗୃହୀତ ଡିମିରି, କୁଢ଼େଇ, ଶାଳଫୁଲ, ଆମ୍ବ, ପଣସ, ଖଜୁରି, ଜାମୁ, ଜେଉଠ, ଜୁସୁମ, ଚାର କୋଳି ଆଦି ଫଳ ବିକୁଛନ୍ତି । ଅନ୍ୟପକ୍ଷରେ ବ୍ୟବସାୟୀମାନେ ଆମ୍ବ, ତରଭୁଜ, ସପୁରି, ସପେଟା, ସେଓ, ଲିଚୁ, କଦଳୀ, କମଳା ଆଦି ଉଚ୍ଚ ଦାମରେ ବିକ୍ରି କରୁଛନ୍ତି । ଯେଉଁଥିପାଇଁ ପାହାଡ଼ୀ ଫଳର ଚାହିଦା ବେଶ ରହିଛି ।
ଏଣୁ ଅନେକ ଲୋକ ଅନ୍ୟ ଫଳ ସହିତ ପାହାଡ଼ିଆ ଫଳ ଓ କୋଳି ପୂଜା ପାଇଁ କିଣୁଥିବା ଦେଖିବାକୁ ମିଳୁଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ