କେନ୍ଦୁଝର/ସମ୍ବଲପୁର : ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ । ଏନେଇ କେନ୍ଦୁଝର ଜିଲ୍ଲାରେ ଗତକାଲି ଠାରୁ ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏ ସଂକ୍ରାନ୍ତରେ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସେଥିରେ ଲିମ୍ଫାଟିକ ଫାଇଲେରିଆସିସ୍ ଦ୍ୱାରା ଦେଖାଦେଉଥିବା ଅବସ୍ଥା ସମ୍ପର୍କରେ ଆଲାକପାତ କରାଯାଇଥିଲା ।
ତେବେ ଏହି କର୍ମଶାଳା ଅବସରରେ ଡକ୍ଟର କିଶୋର କୁମାର ପୃଷ୍ଟି ଯୋଗ ଦେଇ ଶିଶୁ, ଗର୍ଭବତୀ ଓ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅଙ୍ଗନବାଡ଼ିକର୍ମୀ ଏବଂ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ସାମୁହିକ ଔଷଧ ସେବନ କରାଯିବ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ଫାଇଲେରିଆ ନିରାକରଣ ଦିଗରେ ପ୍ରତିବଦ୍ଧତା ସହିତ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସ୍ବାସ୍ଥ୍ୟକର୍ମୀ ଏବଂ ଜନସମୁଦାୟ ଯେଭଳି ଫାଇଲେରିଆ ନିରାକରଣ କାର୍ଯ୍ୟକର୍ମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବେ, ତାହା ଅତ୍ୟନ୍ତ ଗଗୁରୁତ୍ଵପୂର୍ଣ୍ଣ ।
ସେହିପରି ଡକ୍ଟର ଦେବେନ ଦାସ୍ ଏଡିପିଏଚ୍ଓ (ଭିବିଡି) ଏକ ଉପସ୍ଥାପନା କରିଆରେ କହିଥିଲେ ଯେ, ଫାଇଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ବାରା ବ୍ୟାପୁଛି । ବିଶ୍ଵବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତା ସୃଷ୍ଟିରେ ଫାଇଲେରିଆ ଅନ୍ୟତମ ମୁଖ୍ୟ କାରଣ ହୋଇଛି । ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ସଂକ୍ରମଣ ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦେଉଛି ଏବଂ ଯଦି ତାହାର ଚିକିତ୍ସା କରାନଯାଏ, ତେବେ ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରିଥାଏ । ଏହି ପରିସ୍ଥିତି ଲିମ୍ଫାଟିକ ଫାଇଲେରିଆରେ ଆକ୍ରାନ୍ତ ଲୋକଙ୍କର ଜୀବିକା ଉପାର୍ଜନ, ସୁବିଧା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ବୋଲି କହିଥିଲେ । ତେବେ ଜିଲ୍ଲାରେ ମୋଟ ଧାର୍ଯ୍ୟ ୨୧ଲକ୍ଷ ୭ହଜାର ୮୦ଜଣ ହିତାଧିକାରୀଙ୍କୁ ୭୦୨୪ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ୭୦୨ଜଣ ସୁପରଭାଇଜର ଓ ୪୨ଜଣ ଆରଆରଟିଙ୍କ ଜରିଆରେ ସାମୁହିକ ଔଷଧ ସେବନ କରାଯିବା ଲକ୍ଷ୍ୟ ରଖାଯାଇଛି ।
ସେହିପରି ସମ୍ବଲପୁର ଜିଲ୍ଲାରେ ମଧ୍ୟ ଫାଇଲେରିଆ ରୋଗ ନିରାକରଣ ଅଭିଯାନ ଆରମ୍ଭ ହେବ । ଆସନ୍ତା ଅଗଷ୍ଟ 10ରୁ ଅଗଷ୍ଟ 19 ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିବା ନେଇ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଫାଇଲେରିଆ ରୋଗକୁ ତଟବର୍ତ୍ତୀ ଜିଲ୍ଲାଗୁଡ଼ିକର ରୋଗ କୁହାଯାଉଥିବା ବେଳେ ବର୍ତ୍ତମାନ ପଶ୍ଚିମ ଓଡିଶାରେ ମଧ୍ୟ ବହୁ ଲୋକଙ୍କ ଦେହରେ ଏହି ରୋଗ ଦେଖିବାକୁ ମିଳୁଛି l ଏଥିପାଇଁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେବା ସହ ଗତ ବର୍ଷଠାରୁ ଏହି ରୋଗର ମୁକାବିଲା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି l ଯାହାକୁ ନେଇ ଗତକାଲି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l
ଇଟିଭି ଭାରତ, କେନ୍ଦୁଝର/ସମ୍ବଲପୁର