ଆନନ୍ଦପୁର: ଆଷାଢ ମାସ ଶେଷ ହେବାକୁ ବସିଲାଣି । ହେଲେ ବର୍ଷାର ଦେଖା ନାହିଁ । ଏହି ସମୟରେ ବିଲରେ ପାଣି ଜମିବା ପରିବର୍ତ୍ତେ ମାଟି ଫାଟି ଆଁ କଲାଣି । ବର୍ଷା ଅଭାବରୁ ତଳି ଶୁଖିଯିବା ସହ ଅନେକ ସ୍ଥାନରେ ଜମି ପଡିଆ ହୋଇପଡ଼ିଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ବାଲିପାଳ ଗାଁରେ । ଏଠାରେ ଚାଷ ଜମି ନିକଟରେ କେନାଲ୍ ଯାଇଛି । ହେଲେ, ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ପାଣି ମାଡୁନି । ତେବେ ଆଗକୁ ଧାନ ଚାଷ କିପରି ହେବ, ସେନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । କିଛି ଜମିରେ ଧାନ ତଳି ପକାଇ ଚାଷୀ ବର୍ଷାକୁ ଚାହିଁ ବସିଛନ୍ତି । ଅନ୍ୟପଟେ ଦୀର୍ଘ ଦିନ ଧରି ବର୍ଷା ଅଭାବରୁ ଅନେକ ସ୍ଥାନରେ ଏଯାଏଁ ଚାଷ କାମ ଆରମ୍ଭ ହୋଇ ପାରିନାହିଁ ।
ପ୍ରକାଶ ଥାଉକି, 1980 ମସିହାରେ 25 କିଲୋମିଟର ପରିଧିରେ 5ଟି ପଞ୍ଚାୟତର ଚାଷୀଙ୍କର 4 ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଚାଷଜମିରେ ଜଳସେଚନ ପାଇଁ ଆରମ୍ଭ ହୋଇଥିଲା ରେମାଳ ମେଗା ନଦୀବନ୍ଧ ଯୋଜନା । ହେଲେ, ରକ୍ଷଣାବେକ୍ଷଣ ଅଭାବରୁ ଏହାର 7 କିଲୋମିଟର ବ୍ୟାପି ଦକ୍ଷିଣ କେନାଲରେ 3ଟି ପଞ୍ଚାୟତ (କେଶଦୁରାପାଳ, ଦରଡିପାଳ,ରାଧିକାଦେଇପୁର) ର ଶତାଧିକ ଚାଷୀଙ୍କ ଜମିରେ ଏବେ ପାଣି ମାଡୁନି ।
ଅନିୟମିତ ବର୍ଷା ତଥା କେନାଲରେ ପାଣି ଆସୁ ନଥିବାରୁ ଅର୍ଦ୍ଧାଧିକ ଚାଷଜମି ପଡିଆ ପଡୁଛି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରି ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି । ଏପଟେ ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ, କେନାଲରେ ପାଣି ଆସୁ ନଥିବା ଦୁଃଖ, ବେଡି ଉପରେ କୋରଡା ସଦୃଶ ହୋଇଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ