କେନ୍ଦୁଝର: ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ । ଅମଳ ସମୟରେ ପାଚିଲା ଧାନ ଫସଲକୁ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି ହାତୀପଲ। ଫଳରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ।
ଭିମକାଣ୍ଡ ପଞ୍ଚାୟତ କାଣ୍ଡପଶି ଗାଁରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଏକର ଏକର ପାଚିଲା ଧାନ ଫସଲ ନଷ୍ଟ କରି ଦେଇଛନ୍ତି । ଗାଁର ତପନ ଦେହୁରୀ, ଯୁଗଳ ମହାକୁଡ଼, କିର୍ତିନ ମହାକୁଡ, ରଙ୍ଗା ମହାକୁଡ଼, ପ୍ରମୋଦ ମହାକୁଡ଼, ଶିବ ମହାକୁଡ଼, ମୁକୁନ୍ଦ ମହାକୁଡ଼ଙ୍କର ଜମିରେ ଧାନ ଫସଲକୁ ନଷ୍ଟ କରିଛନ୍ତି ହାତୀପଲ । ସେପଟେ ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବାବେଳେ ଲୋକଙ୍କ ଫସଲକୁ ସୁରକ୍ଷା ଦେବାରେ ମଧ୍ୟ ଅସଫଳ ଥିବା ଚାଷୀ ଅଭିଯୋଗ କରିଛନ୍ତି । ହାତୀପଲ ଫସଲ ନଷ୍ଟ କରୁଥିବାବେଳେ ବନ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଆସୁ ନଥିବା ପ୍ରକାଶ କରିଛନ୍ତି ଚାଷୀ ।
ତେବେ ଧାର କରଜ କରି ଚାଷ କରିଥିବା ଫସଲ ସବୁ ହାତୀଙ୍କ ଯୋଗୁଁ ଉଜୁଡି ଯାଉଥିବାରୁ କେମିତି ୠଣ ପରିଶୋଧ କରିବେ ସେନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ