ଆନନ୍ଦପୁର: କୋରୋନା ମହାମାରୀରେ ସାରା ବିଶ୍ୱ ଭୟଭୀତ ହୋଇଥିବା ବେଳେ ସେଥିରୁ ରକ୍ଷା ପାଇବା ପାଇଁ ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଜନ ସାଧାରଣଙ୍କୁ ସଚେତନ କରାଯାଉଛି ଏବଂ ବିପତ୍ତିରୁ ରକ୍ଷା ପାଇବା ପାଇଁ ସମୂହ ଲଢେଇ ଦରକାର ବୋଲି କହୁଛନ୍ତି ଏବଂ ସରକାରଙ୍କ ନୀତି ନିୟମ ନିର୍ଦ୍ଦେଶ ମାନିବାକୁ ନିବେଦନ କରୁଛନ୍ତି । ଏଥିପାଇଁ ଗତ ୨୨ ତାରିଖରୁ ସାରା ଦେଶକୁ ଲକଡାଉନ କରି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବା ସହ ଘରେ ରହିବାକୁ ନିବେଦନ କରିଛନ୍ତି । ସମସ୍ତେ ନିୟମ ମାନି ଘରେ ରହୁଥିବା ବେଳେ ଉଠା ଦୋକାନୀ, ମନ୍ଦିର ପୂଜକ ମାନେ ଏହି ଲକ୍ ଡାଉନ ଫଳରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।
କୋରୋନା ପାଇଁ ସାରା ଦେଶ ଲକଡାଉନ । ଘର ଭିତରେ ରହିବା ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ସମସ୍ତେ ପାଳନ କରୁଛନ୍ତି । ହେଲେ ଯେଉଁମାନେ ଦିନ ମଜୁରିଆ, ପରର ମୁଲ ଲାଗିଲେ ଘରେ ଚୁଲି ଜଳେ । ଆଉ ଯେଉଁମାନେ ରାସ୍ତାକଡ଼ରେ ଉଠା ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି ପୁଣି ଅନେକ ଭକ୍ତଙ୍କର ପୂଜାପାଠ କରି ପରିବାର ପୋଷଣ କରିଥାନ୍ତି । ସେମାନଙ୍କ ଅବସ୍ଥା ଏବେ କିପରି । କେମିତି ରହୁଛନ୍ତି ସେମାନେ ଏବଂ କିପରି ଚଳୁଛି ସେମାନଙ୍କ ପରିବାର ।
ଏହି ଗରିବ ଲୋକଙ୍କ ପରିବାର ଏବେ ଚଳିବା ପାଇଁ କଷ୍ଟକର ହୋଇପଡ଼ିଥିବା ବେଳେ ଏପଟେ କଳାବଜାରୀ ଓ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ପରି ହୋଇପଡିଛି । କିପରି ପରିବାର ପୋଷଣ କରିବେ ସେ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ମାନି ନେଇଛନ୍ତି ଏମାନେ । ସେପଟେ ସରକାର ଲକଡାଉନ ଯୋଗୁଁ ଯେଉଁ ଯୋଜନା କରିଛନ୍ତି ତାହା ଶୀଘ୍ର କିପରି ସେମାନଙ୍କ ପାଖରେ ପହଞ୍ଚିବ ତାହାର ସଠିକ ବ୍ୟବସ୍ଥା ପାଇଁ ନିବେଦନ ମଧ୍ୟ କରିଛନ୍ତି । ହେଲେ ମନ୍ଦିର ପୂଜକ ମାନେ କଣ କରିବେ ଓ କିପରି ପରିବାର ପୋଷିବେ ସେ ଚିନ୍ତା ସେମାନଙ୍କୁ ଘାରିଛି । କୋରୋନା ପାଇଁ ଜୀବନ ସଙ୍ଘର୍ଷ ଜାରି ରହିଥିବା ବେଳେ ଜୀବନ ଜୀବିକା ପାଇଁ ସଙ୍ଘର୍ଷ କରୁଛନ୍ତି ଉଠା ଦୋକାନୀ ଏବଂ ଦିନ ମଜୁରିଆ ମାନେ । ତଥାପି ସମର୍ଥନ କରିଛନ୍ତି ସରକାରଙ୍କର ଲଗଡାଉନ ନିଷ୍ପତ୍ତିକୁ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ