କେନ୍ଦୁଝର: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ଦ୍ୱାରା ଜାତୀୟ ନାଟକ ମହୋତ୍ସଵ ଉଦଯାପିତ ହୋଇଛି । ଏପ୍ରିଲ ୨୦ ରୁ ୨୩ ତାରିଖ ଯାଏଁ ଏହି ଚାରି ଦିନିଆ ନାଟ୍ୟ ଉତ୍ସବ ସ୍ଥାନୀୟ ମ୍ୟୁନିସିପାଲିଟି ଅଡିଟୋରିୟମରେ ମଞ୍ଚସ୍ଥ ହେଇ ଆସୁଥିଲା । ଏହି ଚାରିଦିନିଆ ନାଟକ ମହୋତ୍ସବର ଶେଷ ଉଦଯାପନୀ ସନ୍ଧ୍ୟାରେ ସଦର ବିଧାୟକ ତଥା ବିରୋଧୀ ଦଳ ନେତା ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡିଏଫଓ ଧନରାଜ ଏଚ ଡି ଯୋଗ ଦେଇ ମଞ୍ଚ ନାଟକ କଳାକୁ ବଞ୍ଚେଇ ରଖିଥିବା ପ୍ରକାଶ କରିଥିଲେ ।
ଉଦଘାଟନୀ ସନ୍ଧ୍ୟାରେ ଭୁବନେଶ୍ୱରରୁ ଶତାବ୍ଦୀର କଳାକାର ନାଟ୍ୟ ସଂସ୍ଥା ଦ୍ୱାରା ନାଟକ ଦଶବତାର ମଞ୍ଚସ୍ଥ ହୋଇଥିଲା । ପ୍ରଥମ ଦିନରେ ନାଟକ ଦଶ ଅବତାର ନାଟକ ଦେଖି ଦର୍ଶକ ବିମୋହିତ ହୋଇଥିଲେ । ସେହିଭଳି ଏପ୍ରିଲ୨୧ ରେ ଭୋପାଳର ଅଗ୍ରଣୀ ନାଟ୍ୟ ସଂସ୍ଥା ରେଜିଙ୍ଗ ସୋସାଇଟି ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ନାଟକ ମଜୁନୁ ଲାଉସମେଣ୍ଟ ମଞ୍ଚସ୍ଥ ହୋଇଥିଲା । ଭୋପାଳର ଏହି ଜୀବନ୍ତ ନାଟକ ଦର୍ଶକଙ୍କ ମନ ଜିଣିବା ସହ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ତୃତୀୟ ଦିନ କଲିକତାର ନାଟ୍ୟ ଅନୁଷ୍ଠାନ ତିଲଜଲା କଳ୍ପନ ନାଟ୍ୟଗୋଷ୍ଠୀ ଦ୍ୱାରା ନାଟକ ଏକ କିତିର ଦିନଲିପି ମଞ୍ଚସ୍ଥ ହୋଇଥିଲା । ଶେଷ ଦିନ ନାଟ୍ୟକାର ଚିନ୍ମୟ ଦାସ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ କାସାଣ୍ଡ୍ରା ନିଜସ୍ୱ ନାଟକ କଥା ତ ଏତିକି ମଞ୍ଚସ୍ଥ ହୋଇଥିଲା । ଏହି ନିଜସ୍ୱ ନାଟକ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।
ଏହି ନାଟ୍ୟ ଉତ୍ସବର ଶେଷ ସନ୍ଧ୍ୟାରେ କାସାଣ୍ଡ୍ରା ସ୍ୱର୍ଗତ ସଦସ୍ୟ ଧୀରେନ୍ଦ୍ର ରାଉତ, ଗୟାଧର ଦାସ, ବନ ବିହାରୀ ପହି, ଦେବାଶିଷ ପଟ୍ଟନାୟକ ଏବଂ ବିରଞ୍ଚି ନାରାୟଣ ଦାସଙ୍କ ସ୍ମୃତିରେ ବରିଷ୍ଠ ନାଟ୍ୟ କଳାକାର ଯୋଗେନ୍ଦ୍ର ମହାପାତ୍ର, ଘନଶ୍ୟାମ ମିଶ୍ର, ପରୀକ୍ଷିତ ମିଶ୍ର, କଳ୍ପତରୁ ଆଚାର୍ଯ୍ୟ, ଵିଦ୍ୟାଧର ରାଏଙ୍କୁ କାସାଣ୍ଡ୍ରା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରକାଶ ଯେ କାସାଣ୍ଡ୍ରା ଅନୁଷ୍ଠାନ ପକ୍ଷରୁ ଦୀର୍ଘ ୪୦ ବର୍ଷ ଧରି ନାଟକ ମହୋତ୍ସବ ପାଳିତ ହୋଇଆସୁଛି ।
ଇଟିଭି ଭାରତ, କେନ୍ଦୁଝର