କେନ୍ଦୁଝର: ରାସ୍ତାରେ ପ୍ରସବ ପରେ ଶିଶୁପୁତ୍ରର ମୃତ୍ୟୁ । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଯୋଡା ବ୍ଲକରେ । ଚିକିତ୍ସା ଅଭାବରୁ ଜଣେ କୋଭିଡ ପ୍ରସୂତୀ ପ୍ରସବ ବେଦନା ସହି ନପାରି ରାତି ଅଧରେ ରାସ୍ତା କଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଜନ୍ମ ହେବାର କିଛି ସମୟ ମଧ୍ୟରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରସାରିତ ହେବା ପରେ ଘଟଣାର ସରଜମିନ ତଦନ୍ତ ଆରମ୍ଭ ହୋଇଛି। ଗଣମାଧ୍ୟମର ହସ୍ତକ୍ଷେପ ପରେ ପୀଡିତ ଦମ୍ପତ୍ତିଙ୍କୁ ସଂଧ୍ୟାରେ ଆଣି ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ ଉପ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଆଜି ଯୋଡ଼ାକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଟାଟା କୋଭିଡ୍ ହସ୍ପିଟାଲକୁ ଯାଇ ପୀଡ଼ିତ ଦମ୍ପତିଙ୍କୁ ଭେଟି ଘଟଣା ସଂପର୍କରେ ସବିଶେଷ ତଥ୍ୟ ପଚାରି ବୁଝିବା ପରେ ଟାଟା ଷ୍ଟିଲ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଏମ୍. କେ. ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଚିକିତ୍ସାରେ କିଛି ଅବହେଳା କରାଯାଇଛି କି ନା ସେନେଇ ମଧ୍ୟ ତଦନ୍ତ କରିଥିଲେ ଉପ ଜିଲ୍ଲାପାଳ ।
କେଉଁ କାରଣରୁ ଏଭଳି ପରିସ୍ଥିତି ଉପୁଜିଥିଲା ସେନେଇ ଖୋଳତାଡ଼ କରିଥିଲେ ଉପ ଜିଲ୍ଲାପାଳ । ଏନେଇ ସବିଶେଷ ରିପୋର୍ଟ ଆସନ୍ତାକାଲି ସେ ଜିଲ୍ଲାପାଳଙ୍କୁ ପ୍ରଦାନ କିରବେ ବୋଲି କହିଛନ୍ତି । ତେବେ ଟାଟା ଷ୍ଟିଲ ହସ୍ପିଟାଲ ପକ୍ଷରୁ କିଛିଟା ଅସୁବିଧା ରହିଥିବା ସେ ପ୍ରକାଶ କରିଛନ୍ତି । ଏହି ଅବହେଳା, ଆନୁଷ୍ଠାନିକ ଅବହେଳା ନା ବ୍ୟକ୍ତିଗତ ତାହା ଜଣାପଡ଼ିବା ପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ