କେନ୍ଦୁଝର: ଆଜିଠୁ ଆରମ୍ଭ ହେଲା ଘଟଗାଁ ମା' ତାରିଣୀଙ୍କ ଚଇତି ପର୍ବ । ସୁନା ବେଶରେ ଦର୍ଶନ ଦେଲେ ମା' ତାରିଣୀ । କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ମା’ଙ୍କ ଚଇତି ପର୍ବ କେବଳ ରୀତିନୀତି ଅନୁସାରେ ସମାପନ କରାଯାଉଥିବା ବେଳେ ଦର୍ଶକଙ୍କୁ ମଧ୍ୟ ବାରଣ କରାଯାଇଥିଲା । ତେବେ କଟକଣା ହଟିବାରୁ ଆଜି ଠାରୁ (ଶନିବାର) ବିଷୁବ ପଣା ସଂକ୍ରାନ୍ତି ଯାଏଁ ମା'ଙ୍କ ଚଇତି ପର୍ବ ପାଳନ ହେବ ।
ଚଇତି ପର୍ବ ଅବସରରେ ମା' ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଭକ୍ତ ମଧ୍ୟ ଅତି ଶ୍ରଦ୍ଧାର ସହିତ ମା’ଙ୍କୁ ଦର୍ଶନ କରୁଛନ୍ତି । ଆଜିର ଦିନରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ଏହି ଦିନରେ ମାଙ୍କ ଦର୍ଶନ ଲାଗି ଦୁର ଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି ଘଟଗାଁ ମା’ ତାରିଣୀଙ୍କ ପୀଠକୁ ।
ମା' ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ପବିତ୍ର ଚଇତି ପର୍ବ ଏବଂ ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦୀର୍ଘ ୮୬ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ଚଳିତ ବର୍ଷ ୮୬ ତମ ଚଇତି ପର୍ବ ପାଳିତ ହେଉଛି। ଏହି ଅବସରରେ ମା'ଙ୍କ ସୁନା ବେଶ ହେଉଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଛି ।
ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଇତି ପର୍ବ ଅବସରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ମାଗଣାରେ ୭ଦିନ ଧରି ଅନ୍ନ ପ୍ରସାଦ ପ୍ରଦାନ କରାଯିବ । ପଣା ସଂକ୍ରାନ୍ତି ରେ ମା'ଙ୍କ ପ୍ରିୟ ପଣା ପାଇବା ପାଇଁ ଭକ୍ତ ମାନଙ୍କ ଭିଡ ଦେଖାଯାଇଥାଏ । ଭିଡ଼କୁ ଦେଖି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ