କେନ୍ଦୁଝର: ଦେଶର ଅନେକ ରାଜ୍ୟ ସିଏଏ ନିଆଁରେ ଜଳୁଥିବାବେଳେ ସିଏଏ ସମର୍ଥନରେ ଏକ ବିରାଟ ରାଲି କେନ୍ଦୁଝର ବଡବିଲ ସହରରେ ଅନୁଷ୍ଠିତ ହୋଇଯାଇଛି । ବଡବିଲ ନାଗରିକ ମଞ୍ଚ ପକ୍ଷରୁ ସିଏଏ ସମର୍ଥନରେ ମଙ୍ଗଳବାର ଏହି ରାଲିର ଆୟୋଜନ କରାଯାଇଥିଲା । ଏଥିରେ ସହରର ଅନେକ ଲୋକ ସାମିଲ ହୋଇଥିଲେ।
ବଡ଼ବିଲ ବିକାଶ ମହଲ ଠାରୁ ଏହି ସମର୍ଥନ ଶୋଭାଯାତ୍ରା ବାହାରି ମହାନ୍ତ ବସ୍ତି ଦେଇ ଭୋଳା ଗ୍ୟାରେଜ୍ ଛକ, ବସଷ୍ଟାଣ୍ଡ୍ ଛକ ଓ ମେନରୋଡ୍ ଦେଇ ଅଟଳ ଛକ ନିକଟରେ ପହଞ୍ଚିଥିଲା। ସ୍ଥାନୀୟ ବ୍ୟବସାୟୀ ଦେକାନ ବନ୍ଦ କରି ରାଲିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା। ଲୋକେ ତ୍ରିରଙ୍ଗା ପତାକା ଓ ସମର୍ଥନ ସମ୍ବନ୍ଧିତ ପ୍ଲାକାର୍ଡ଼ ହାତରେ ଧରି ଭାରତ ମାତା କୀ ଜୟ, ବନ୍ଦେ ମାତରମ୍ ଓ ସିଏଏ ସ୍ବାଗତମ ଭଳି ନାରାବାଜି କରି ନାଗରିକତା ସଂଶୋଧନ ଆଇନ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ।
ଅଟଳ ଛକ ଠାରେ ନେତାଗଣ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିଥିଲେ। ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଶୁକ୍ରବାର ସିପିଆଇ ପକ୍ଷରୁ ବଡ଼ବିଲରେ ଆନ୍ଦୋଳନ କରା ଯାଇଥିଲା।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ