କେନ୍ଦୁଝର: ପ୍ରତିଶୃତି ଦେଇ ଠକିଦେଲା ଏସାରଷ୍ଟିଲ କମ୍ପାନୀ । ବାରମ୍ବାର ପ୍ରତିଶୃତି ପ୍ରତାରଣା ପାଲଟିବା ପରେ ଶେଷରେ ନିଜର ହକ୍ ପାଇଁ ଦୀର୍ଘ 17 ଦିନ ହେଲାଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ବଡ କାଳିମାଟି ପଞ୍ଚାୟତବାସୀ । ସେପଟେ ପ୍ରଶାସନର ଏହି ଅନଶନକାରୀଙ୍କ ପ୍ରତି ଯେପରି ନିଘା ନାହିଁ ।
କେନ୍ଦୁଝର ଜିଲ୍ଲା ବଡକାଳୀମାଟି ପଞ୍ଚାୟତ ଅନ୍ତର୍ଗତ ଦୁବୁନା ଠାରେ ଏସାରଷ୍ଟିଲ କମ୍ପାନୀ ପ୍ରତିଷ୍ଠା ହୋଇଛି । ପ୍ରତିଷ୍ଠା ସମୟରେ ପଞ୍ଚାୟତବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରି ଯାଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରତ୍ୟେକ କ୍ଷେତ୍ରରେ କମ୍ପାନୀ ଏଠାକାର ନିରୀହ ପ୍ରଜାକୁ ପ୍ରତାରଣା କରି ଆସୁଥିବା ବେଳେ ଜମିହରା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ଦିଗରେ ଦୃଷ୍ଟି ଦେଉନାହିଁ ।
ତେବେ ଏନେଇ ପଞ୍ଚାୟତବାସୀ ନିଜର ହକ ପାଇଁ ବାରମ୍ବାର କମ୍ପାନୀ ତଥା ପ୍ରଶାସନର ଦ୍ୱାରସ୍ଥ ହେବା ସତ୍ତ୍ବେ କୌଣସି ପ୍ରତିକାର ନହେବାରୁ ଦୀର୍ଘ 17ଦିନ ହେଲାଣି ପଞ୍ଚାୟତର 19ଲୋକ ଆମରଣ ଅନଶନରେ ବସିଛନ୍ତି । ଅନଶନ ସମୟରେ ସେମାନଙ୍କ ମଧ୍ୟରୁ 10 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନେ ସୁସ୍ଥ ହେବାପରେ ପୁଣି ଅନଶନରେ ବସିଛନ୍ତି । ଧାରଣା ପରେ ଧାରଣା ଜାରି ରହିଛି ହେଲେ ଲୋକଙ୍କ କଥା ବୁଝିବାକୁ ଯେପରି ଭୁଲି ଯାଇଛି କମ୍ପାନୀ ।
ଏପଟେ ଲୋକଙ୍କ ଗୋଟିଏ ଜିଦ୍ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ । ଏନେଇ ଚମ୍ପୁଆ ତହସିଲଦାରଙ୍କୁ ପଚରାଯିବାରୁ ସେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ