ଆନନ୍ଦପୁର: ଆଉ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ହୋଇରହିନାହିଁ ନାରୀ। ଘର କାମ କରିବା ସହ ନିଜ ବଳକା ସମୟରେ ଅନ୍ୟ କାର୍ଯ୍ୟକରି ନିଜେ ନିଜକୁ ସ୍ବାବଲମ୍ବୀ କରିପାରୁଛନ୍ତି। ଏହାକୁ କଥାରେ ନୁହେଁ ଏବେ କାମରେ ପ୍ରମାଣ କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଚଉମୁହିଁ କଲୋନିର ମହିଳା।
ଏନେଇ ଗାଁ ମୁଣ୍ଡରେ ଏକାଠି ହୋଇଛନ୍ତି ସବୁ ମହିଳା। ଗାଁର ମହିଳା ପେପର୍ ମ୍ୟାଚି କାମରେ ନେଉଛନ୍ତି ସ୍ବତନ୍ତ୍ର ପ୍ରଶିକ୍ଷଣ। ସେଥିପାଇଁ କିଏ ଜିନିଷ ତିଆରି କରୁଛନ୍ତି ତ ଆଉକିଏ ସେଥିରେ ରଙ୍ଗ ଦେଉଛନ୍ତି । ପେପର୍ ମ୍ୟାଚିରେ ମହିଳା ସୁଦୃଶ୍ୟ କୁଲା, ପେନଷ୍ଟାଣ୍ଡ, ଚାବିଷ୍ଟାଣ୍ଡ,ଫୁଲଦାନୀ ଆଦି ତିଆରି କରିପାରୁଛନ୍ତି।
ଚଉମୁହିଁ କଲୋନୀ ସାହିରେ ବାସ କରନ୍ତି ଶତାଧିକ ଶ୍ରମଜୀବୀ ପରିବାର। ଜିଲ୍ଲା ଶିଳ୍ପକେନ୍ଦ୍ର ସହାୟତାରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଏଠାରେ ଆରମ୍ଭ ହୋଇଛି ପେପର୍ ମ୍ୟାଚି ପ୍ରଶିକ୍ଷଣ କେନ୍ଦ୍ର। ଏହି ପ୍ରଶିକ୍ଷଣ ସମୟରେ ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯାଉଛି।
ଏଥିସହ ପ୍ରଶିକ୍ଷଣ ଶେଷରେ ଓରମାସ୍ ଓ ଜିଲ୍ଲା ଶିଳ୍ପକେନ୍ଦ୍ର ସହାୟତାରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ମେଳା ମହୋତ୍ସବରେ ମହିଳା ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ବନ୍ଦୋବସ୍ତ କରାଯାଇଛି । ଯାହା ସେମାନଙ୍କ ଆର୍ଥିକ ପ୍ରଗତି ଦିଗରେ ସହାୟକ ହୋଇପାରୁଛି। ମହିଳାଙ୍କୁ ସ୍ଵାବଲମ୍ବୀ କରିବା ଦିଗରେ ପ୍ରଶାସନର ଏହି ପ୍ରୟାସକୁ ସବୁ ମହଲରେ ସ୍ଵାଗତ କରାଯାଇଥିବା ବେଳେ, ସେମାନେ ନିଜେ ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇପାରିଛନ୍ତି।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ