କେନ୍ଦୁଝର: କୋରୋନା ପାଇଁ ସାରାଦେଶ ଲକଡାଉନ ଥିବା ବେଳେ ଏବେ ଦୈନିକ ଶ୍ରମ ସମୟ ୮ ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଥିବା ନେଇ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ପକ୍ଷରୁ ପ୍ରତିବାଦ। ଆଜି(ସୋମବାର) ବଡ଼ବିଲ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନ ପକ୍ଷରୁ ଏହି ମୌନ ପ୍ରତିବାଦ କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଏଆଇଟିୟୁସି ଅଭିଯୋଗ କରିଛି।
ଫ୍ୟାକ୍ଟ୍ରି ଆକ୍ଟ (୧୯୪୮) ଅନୁଯାୟୀ ଶ୍ରମ ସମୟ ୮ଘଣ୍ଟା ସ୍ଥିର କରାଯାଇଥିବା ବେଳେ ୧୨ ଘଣ୍ଟାକୁ ବୃଦ୍ଧି କରିବା ଦ୍ୱାରା ବେକାରୀ ସମସ୍ୟା ଆହୁରି ଉତ୍କଟ ସ୍ଥିତି ଧାରଣ କରିବ ବୋଲି ଆନ୍ଦୋଳନକାରୀ ଯୁକ୍ତି ବାଢିଛନ୍ତି। ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି।
ପ୍ରତିବାଦ ସମୟରେ ୨୨ ଜଣ ଶ୍ରମିକ ସାମିଲ ହୋଇଥିବା ବେଳେ, ଲକଡାଉନର ନିୟମକୁ ଅନୁପାଳନ କରି ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପ୍ରତି ଦୃଷ୍ଟି ଦିଆଯାଇଥିବା ଦେଖିବାକୁ ମିଳିଛି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ