କେନ୍ଦୁଝର: ବଡବିଲ ପୋଲିସକୁ ବଡ ସଫଳତା । ବିଳମ୍ବିତ ରାତିରେ ଜୁଆଡିମାନଙ୍କ ଉପରେ ଚଢାଉ କଲା ପୋଲିସ । ଚଢାଉ ବେଳେ 6 ଜୁଆଡିକୁ ଗିରଫ । ସେମାନଙ୍କ ଠାରୁ 1 ଲକ୍ଷ 7 ହଜାର 7 ଶହ ଟଙ୍କା ସହ ୪ ଟି ମୋବାଇଲ ଫୋନ ଓ ୨ ବିଡା ତାସ ଜବତ କରିଛି ପୋଲିସ ।
ଭଦ୍ରାସାହି ପଞ୍ଚାୟତ ଟଂଟୋ ପାର୍କିଂ ଅଞ୍ଚଳରେ ଜୁଆଖେଳ ଚାଲିଥିବା ଖବର ପାଇ ଅଚାନକ ଚଢାଉ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, କାଶିଆ (ଖ) ଗାଁର ଶ୍ୟାମସୁନ୍ଦର ମୁଣ୍ଡା, ପ୍ରଦୀପ ଓରାମ, ଉମେଶ ଚନ୍ଦ୍ର ପଲେଇ, ଭଦ୍ରାସାହି ଅଞ୍ଚଳର ରୟା ମୁଣ୍ଡା, ଗୁଆଲି ବସ୍ତିର ପ୍ରକାଶ ପଲେଇ ଓ ତପନ କୁମାର ବାରିକ । ବଡବିଲ ଥାନା କେସ ନଂ ୧୦୨, ଦଫା ୨୬୯, ୨୭୦ ଆପିସି, ୩ ଏପିଡେମିକ୍ ଆକ୍ଟ, ୩ ଓପିଜି ଆକ୍ଟ ଏବଂ ୩ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଆଧାରରେ ଗିରଫ କରାଯାଇଛି ।
ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି । ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ବୋଲି ପୋଲିସ ସୂଚନା ଦେଇଛି । ବଡ଼ବିଲରେ ଏହା ପୂର୍ବରୁ ଗତ ୧୪ ତାରିଖରେ ହୋଟେଲ୍ ନୀଳକଣ୍ଠ ଅଞ୍ଚଳରୁ ୧୦ ଜଣ ଜୁଆଡିଙ୍କୁ ଗିରଫ କରାଯିବା ସହ ୪୮ହଜାର ୫ଶହ ଟଙ୍କା ଜବତ କରିଥିଲା ବଡବିଲ ପୋଲିସ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ