କେନ୍ଦୁଝର: ଯୋଡା ପୋଲିସକୁ ମିଳିଛି ବଡ ସଫଳତା । ମଙ୍ଗଳବାର ବିଳମ୍ବିତ ରାତିରେ ଯୋଡା ଥାନା ଅନ୍ତର୍ଗତ ଦେଓଝର, ମୁର୍ଗାବେଡା ଗ୍ରାମ୍ୟ ଜଙ୍ଗଲ ମଝିରେ କେତେ ଜଣ ଡକାୟତ ସଂଘବଦ୍ଧ ଭାବେ ଡକାୟତି ଯୋଜନା କରୁଥିବାବେଳେ ଚଢାଉକରି 3 ଜଣଙ୍କୁ ଗିରଫ କରିଛି ପୋଲିସ ।
ତେବେ ଅନ୍ୟ କେତେକ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଜଣାପଡିଛି । ଏହି ଚଢାଉ ଫଳରେ ଏକ ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଥିବା ଜଣାପଡିଛି । ଡକାୟତମାନେ ସଙ୍ଘବଦ୍ଧ ଯୋଜନା କରୁଥିବା ସମୟରେ ପୋଲିସ ରାସ୍ତାର ଉଭୟପାଶ୍ୱରୁ ସେମାନଙ୍କୁ କାବୁ କରିବା ପାଇଁ ଜାଲ ବିଛାଇଥିଲା । ଗିରଫ ଡକାୟତମାନଙ୍କ ଠାରୁ ୪ଟି ବନ୍ଧୁକ, ୬ଟି ଅଫୁଟା ଗୁଳି, ୪ଟି ଛୁରୀ, ୧୧ଟି ମୋବାଇଲ, ଡାକୟତି ପାଇଁ ବ୍ୟବହୃତ ଗୋଟିଏ ସ୍କୁଟି, ଗୋଟିଏ କାର ଏବଂ ଏହା ସହିତ ୧୧ ହଜାର ୭୭୦ ଟଙ୍କା ନଗଦ ଜବତ କରିଛି ।
ଗିରଫ ଅଭିଯୁକ୍ତମାନେ ଯୋଡା ବାଚୁହାଣ୍ଟି ଅଞ୍ଚଳର ବୋଲି ଜଣାପଡିଥିବାବେଳେ ସେମାନେ ହେଲେ ଯିଶୁ ତନ୍ତି ଓରଫ ଇସୁ, ସୌରଭ ମହାକୁଡ ଓରଫ ଗୁଡୁ, ଜଲିନ ଚାତାର । ଏମାନଙ୍କ ନାମରେ ଯୋଡା ଥାନାରେ ଅନେକ ଅପରାଧିକ ମାମଲା ରହିଛି । ଏହି ଡକାୟତମାନେ ବିଭିନ୍ନ ପେଟ୍ରୋଲ ପମ୍ପ, ଖଣି କମ୍ପାନୀ, ପରିବହନ ସଂସ୍ଥା ଏବଂ ଟ୍ରକ ଚାଳକମାନଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଡକାୟତି କରିବା ପରେ ଝାଡଖଣ୍ଡକୁ ସହଜରେ ଖସିଯାଇଥାନ୍ତି । ବାରମ୍ବାର ଏହି ସୀମାନ୍ତ ଅଞ୍ଚଳରେ ଡକାୟତି ହେଉଥିବା ନଜିର ରହି ଥିବାବେଳେ ପୋଲିସ ସେମାନଙ୍କର ସୁରାକ ପାଇପାରିନଥାଏ । ଏହି ଚଢାଉରେ ଯୋଡା ପୋଲିସ ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁଙ୍କ ନେତୃତ୍ୱରେ ବିଲେଇପଦା ଫାଣ୍ଡି ଅଧିକାରୀ ସେକ୍ ଆଝାରଉଦ୍ଦିନ, ଯୋଡା ଥାନା ଏସଆଇ ଅନିଲ ସାମଲ, ଏସଆଇ ସସ୍ମିତା ହରୋ, ସମ୍ଭୁନାଥ ନାଏକଙ୍କ ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ । ଏନେଇ ବଡବିଲ ପୋଲିସ ଉପଖଣ୍ଡ ଅଧିକାରୀ ହିମାଂଶୁ ବେହେରା ଯୋଡା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ