କେନ୍ଦୁଝର: ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନର ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ୨ ହାତୀଙ୍କ ମୃତ୍ୟୁ ଘଟଣା । ଏଥିରେ ଯୋଡ଼ା ସେକ୍ସନର ଫରେଷ୍ଟର ପିଅନ ନାଏକ ଓ ଜୁରୁଡି ବିଟର ଫରେଷ୍ଟ ଗାର୍ଡ ଦୋଳ ଗୋବିନ୍ଦ ଦେଓଙ୍କୁ ନିଲମ୍ବିତ କରିଛନ୍ତି କେନ୍ଦୁଝର ଡି ଏଫ ଓ ସନ୍ତୋଷ କୁମାର ଯୋଶୀ ।
ଶିକାରୀଙ୍କ ଦ୍ଵାରା ବିଛାଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବାବେଳେ, ମାଈ ହାତୀର ବୟସ ପାଖାପାଖି ୩୦ ଓ ଅଣ୍ଡିରା ହାତୀର ବୟସ ପାଖାପାଖି ୮ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନିରୀହ ହାତୀଙ୍କୁ ମାରିଥିବା ଶିକାରୀ ଧରା ପଡିନଥିବା ବେଳେ ତଳିଆ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରିଛି ନାଗରିକ ମଞ୍ଚ । ସୂଚନାମୁତାବକ, ଶିକାରୀମାନେ ଗତ ୨ ମାସ ମଧ୍ୟରେ ଚମ୍ପୁଆ ରେଞ୍ଜରେ ୪ ହାତୀଙ୍କୁ ହତ୍ୟା କରିଛନ୍ତି । ବାମେବାରୀ ସେକ୍ସନର କାଶିଆ ଜଙ୍ଗଲରେ, ଗୋଟିଏ ହାତୀର ମୃତ୍ୟୁ ଘଟିଥିବାବେଳେ, ଗତ ୨୪ ତାରିଖରେ ବାଲିବନ୍ଧ ସେକ୍ସନର ଚମକପୁର ଗାଁରେ ଗୋଟିଏ ହାତୀର ମୃତଦେହ ମିଳିଥିଲା ।
ଏହାପରେ ୧୫ ତାରିଖରେ ଏକା ସାଙ୍ଗରେ ୨ଟି ହାତୀଙ୍କୁ ହତ୍ୟା କରାଯାଇଛି । କେବଳ ତଳିଆ କର୍ମଚାରୀଙ୍କ ନିଲମ୍ବନ କରି ହାତୀ ଭଳି ମୂଲ୍ୟବାନ ପଶୁର ହତ୍ୟାକୁ ପରଦା ଢାଙ୍କିବାକୁ ଚେଷ୍ଟା କରା ଯାଉଥିବା ବେଳେ ଡିଏଫଓ ସ୍ଥରୀୟ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ ଦାବି କରିଛି ନାଗରିକ ମଞ୍ଚ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ