କେନ୍ଦ୍ରାପଡ଼ା: ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚାଲିଗଲା ଜଣେ ଚାଷୀଙ୍କ ଜୀବନ । ପ୍ରତିବାଦରେ କଟକ-ଚାନ୍ଦବାଲି ରାସ୍ତାର ଚନ୍ଦନପୁରଠାରେ ରାସ୍ତା ରୋକ । ଶୁକ୍ରବାର ଅପରାହ୍ନରେ ବରୁଣା ଗାଁର ପ୍ରଭାତ ବେହେରା ନିଜ ବାଡିପଟେ ଥିବା ଚାଷଜମିକୁ ଯାଇଥିବା ବେଳେ ମୁଣ୍ଡ ଉପରେ ଯାଇଥିବା 11 କେଭି ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଲା । ଏହାର ପ୍ରତିବାଦରେ ପରିବାର ଲୋକଙ୍କ ସମେତ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ ।
ସୂଚନାନୁଯାୟୀ, ଜିଲ୍ଲାର ବିଦ୍ୟୁତ ବଣ୍ଟନ ଦାୟିତ୍ବରେ ଥିବା ସରକାରୀ ସଂସ୍ଥା ସେସୁ ଓ ଘରୋଇ ଏନଜେନ କମ୍ପାନୀ ପ୍ରତ୍ୟେକ ମାସରେ ଟଙ୍କା ଆଦାୟ କରୁଥିବା ବେଳେ ବିଦ୍ୟୁତ ତାରର ରକ୍ଷଣାବେକ୍ଷଣ ଓ ଏହାର ମେଣ୍ଟେନାନ୍ସ ନ ହୋଇପାରିବାରୁ ଅନେକ ସମୟରେ ଦେଖାଯାଇଥାଏ ଦୁର୍ଘଟଣା । ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ପ୍ରଭାତ ବେହେରାଙ୍କର ଚାଲିଗଲା ଜୀବନ । ସେପଟେ ଘଟଣାର ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ତେବେ ଶବ ବ୍ୟବଚ୍ଛେଦ ପରେ ପୁନର୍ବାର ପରିବାର ଓ ଗାଁ ଲୋକଙ୍କ ଦ୍ବାରା ମୃତଦେହକୁ ଉକ୍ତ ସ୍ଥାନରେ ରଖାଯାଇଛି । ମୃତକଙ୍କ ପରିବାରକୁ 10ଲକ୍ଷ ଟଙ୍କାର ସହାୟତା, ପରିବାରର ଜଣଙ୍କୁ ଚାକିରୀ ଦାବି କରି ରାସ୍ତା ଅବରୋଧ ଜାରି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ ପହଞ୍ଚି ଉତ୍ତ୍ୟକ୍ତ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ରୋକଠୋକ ଶୁଣାଇଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ