କେନ୍ଦ୍ରାପଡା: ଦୀର୍ଘ ଦଶ ବର୍ଷ ପରେ ଆସିଲା ବଧୂହତ୍ୟା ଘଟଣାର ରାୟ । ୨୦୧୨ ମସିହା ଫେବୃଆରୀ ୨୫ ତାରିଖରେ କେନ୍ଦ୍ରାପଡ଼ା ପାଟକୁରା ଥାନା ଅଞ୍ଚଳରେ ୧୦ ହଜାର ଟଙ୍କା ଓ ରଙ୍ଗୀନ ଟିଭି ପାଇଁ ରଞ୍ଜିତା ଦାସ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ଦେଇଥିଲେ ନିର୍ଯ୍ୟାତନା । ରଞ୍ଜିତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା କରିଥିବା ନେଇ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ତାଙ୍କ ସାନଭାଇ ପ୍ରଶାନ୍ତ ଦାସ ।
କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜିତାଙ୍କ ମୃତ୍ୟୁ ହେବା ପରେ ପୋଲିସ ୩୯/୨୦୧୨ରେ ଏକ ମାମଲା ରୁଜ୍ଜୁ କରି ରଞ୍ଜିତାଙ୍କ ଶାଶୂଘର ଲୋକଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି(ସୋମବାର) ଜିଲ୍ଲା ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଶୁଣାଇଥିବା ରାୟରେ ରଞ୍ଜିତାଙ୍କ ସ୍ବାମୀ ବ୍ରଜକିଶୋର ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହି ମାମଲାରେ ମୋଟ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ।
ଇଟିଭି ଭାରତ, କେନ୍ଦ୍ରାପଡ଼ା