କେନ୍ଦ୍ରାପଡା: 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ । କେନ୍ଦ୍ରାପଡ଼ା ଗସ୍ତ ସମୟରେ ପାଣ୍ଡିଆନଙ୍କୁ କଳା ପତାକା ପଦର୍ଶନ କରାଯାଇଛି । "ପାଣ୍ଡିଆନ...ଗୋ ବ୍ୟାକ..." ନାରା ଦେଇ କଳା ପତାକା ପଦର୍ଶନ କରିଛନ୍ତି ଅଜଣା ବ୍ୟକ୍ତି ।
ତେବେ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପାଣ୍ଡିଆନଙ୍କୁ ସନ୍ଧ୍ୟା ସମୟରେ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକ ନିକଟରୁ ପ୍ରଭୁ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ କାରକେଡ ମଧ୍ୟରେ ନିଆଯାଉଥିଲା । ଏତିକି ବେଳେ ମହିପାଳ ସ୍ଥିତ ଏକ ଦୋକାନରୁ ଜଣେ ଅଜଣା ବ୍ୟକ୍ତି ବାହାରି "ପାଣ୍ଡିଆନ... ଗୋ ବ୍ୟାକ..." ନାରା ଦେବା ସହ ଦୀର୍ଘ ପଚାଶ ମିଟର ରାସ୍ତା ପର୍ଯ୍ୟନ୍ତ ପାଣ୍ଡିଆନ ବସିଥିବା କାରକେଡରେ କଳା ପତାକା ଦେଖାଇଥିଲା । ତେବେ ଏତେ କଡ଼ା ପୋଲିସ ବ୍ୟବସ୍ଥା ଥିବା ସତ୍ତ୍ୱେ ଦୁର୍ବୃତ୍ତ ଜଣଙ୍କ କିପରି କଳା ପତାକା ଦେଖାଇ ପାରିଲେ ସେନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ......Ink Attack on 5T Secretary: ବୁକୁ ଫଟାଇ କାନ୍ଦିଲେ ମହିଳା; କହିଲେ ପାଣ୍ଡିଆନ ମୋ ପୁଅ, ସତ୍ୟବାଦୀ ମାଟିର ସମ୍ମାନ ଚାଲିଗଲା
ଏହା ମଧ୍ୟ ପଢ଼ନ୍ତୁ...... 5T ସଚିବଙ୍କ ଗଞ୍ଜାମ ଗସ୍ତ; ହେଲିକପ୍ଟରରେ ଫେରିବା ବେଳେ କଳାପତକା ପ୍ରଦର୍ଶନ ସହିତ ଅଣ୍ଡାମାଡ ! ଭିଡିଓ ଭାଇରାଲ
ଏଠାରେ ସୂଚନାଯୋଗ୍ୟ, ଆଜି ଅପରାହ୍ନ ୩ ଘଟିକାରେ ଭି.କାର୍ତ୍ତିକେୟନ ପାଣ୍ଡିଆନ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଠାରେ ପହଞ୍ଚି ନିର୍ମାଣାଧୀନ ସେତୁର ସମୀକ୍ଷା କରିଥିଲେ । ପରେ ସେଠାରୁ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ସାଧାରଣ ଲୋକଙ୍କୁ ଉଦବୋଧନ ଦେଇଥିଲେ । ସେଠାରୁ ଅପରାହ୍ନ ୪ଟା ପରେ ବାହାରି ସନ୍ଧ୍ୟାରେ କେନ୍ଦ୍ରାପଡା ସହରରେ ପହଞ୍ଚିଥିଲେ । ତେବେ ପାଣ୍ଡିଆନଙ୍କ କାର ସାମ୍ନାକୁ ଆସି କଳା ପତାକା ଦେଖାଇବା ପରେ ଦୁର୍ବୃତ୍ତ ଜଣଙ୍କ ଲୋକଙ୍କ ଭିଡ ଭିତରେ କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ସେପଟେ ପୋଲିସ ଦୁର୍ବୃତ୍ତ ସମ୍ପର୍କରେ ଟେର ମଧ୍ୟ ପାଇନାହିଁ । କଳା ପତାକା ଦେଖାଇଥିବା ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ଅପରପକ୍ଷରେ ଏଭଳି ବିରୋଧ ସମ୍ପର୍କରେ ଜିଲ୍ଲା ଗୁଇନ୍ଦା ବିଭାଗ ପାଖରେ ମଧ୍ୟ କିପରି ସୂଚନା ରହିଲା ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଇଟିଭି ଭାରତ, କେନ୍ଦ୍ରପଡ଼ା