କେନ୍ଦ୍ରାପଡା: ଘଣ୍ଟ ଘଣ୍ଟା କରତାଳ ସାଙ୍ଗକୁ ପାରମ୍ପାରିକ ନୃତ୍ୟରେ ସଜେଇ ହୋଇ ଆସୁଛନ୍ତି ପ୍ରଭୁ ଲଛମନଜୀୟୁ । ଆମ୍ବ ବଉଳର ଅପୂର୍ବ ସମ୍ଭାର ଆଉ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିରେ ଦର୍ଶନ ଦେଉଛନ୍ତି ପ୍ରଭୁ । ଘରେଘରେ ଝୋଟିଚିତା କାଟି ଦ୍ୱାରମୁହଁରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ଚାହିଁ ବସିଛନ୍ତି ପ୍ରଭୁଙ୍କ ଆଗମନକୁ ।
ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକରେ । ସାରା ଭାରତରେ ହୋଲି ଗତ ମଙ୍ଗଳବାର ପାଳିତ ହୋଇ ଥିବାବେଳେ ଏହାର 5 ଦିନ ପରେ କେନ୍ଦ୍ରାପଡାରେ ପାଳନ ହେଉଛି ହୋଲି । ପରମ୍ପରା ଅନୁଯାୟୀ ଏହାକୁ "ପଞ୍ଚୁଦୋଳ" କୁହାଯାଏ । ଏଠାରେ ପ୍ରଭୁ ଲଛମନଜୀୟୁ ଓ ରାମଜୀୟୁ ପରସ୍ପର ବଳଦେବଜୀୟୁଙ୍କ ସାମ୍ନାରେ ବସିବା ପରେ ଛାମୁ ମେଳଣ ଆରମ୍ଭ ହୋଇଥାଏ । ଏହି ମେଳଣର ମୁଖ୍ୟ ଆକର୍ଷଣ କୁଶିଆପାଳ ବାଲିପାଟଣାରେ ପୂଜା ପାଉଥିବା ପ୍ରଭୁ ଲଛମନଜୀୟୁ । ତେବେ ଏହି ପରମ୍ପରା ମରହଟ୍ଟା ଶାସନ କାଳରୁ ଚାଲି ଆସୁଥିବା ଇତିହାସ କହେ
ଲଛମନଜୀୟୁ ଓ ରାମଜୀୟୁ ଉଭୟ ବଳଦେବଜୀୟୁଙ୍କ ପାଖରେ ରଙ୍ଗ ଲାଗି କରିବାପରେ କେନ୍ଦ୍ରାପଡ଼ା ସହରରେ ଆରମ୍ଭ ହୋଇଥାଏ ରଙ୍ଗଖେଳ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଖେଳିଥାନ୍ତି ରଙ୍ଗ । ଚଳିତ ବର୍ଷ ମହାମାରୀ କୋରନା ଭୟ ଏହି ପଞ୍ଚୁଦୋଳ ପର୍ବକୁ ପ୍ରଭାବିତ କରିଛି । ଏହି ରଙ୍ଗର ପର୍ବ ହୋଲିରେ ଯେଉଁଠି ଗାଁଠୁ ସହର ଉତ୍ସବମୁଖର ହୋଇଥାଏ ସେଠାରେ ଆଜି ଘରେ ରହି ହୋଲି ଖେଳୁଛନ୍ତି କେନ୍ଦ୍ରାପଡ଼ା ବାସିନ୍ଦା ।
ତେବେ ରଙ୍ଗର ପର୍ବ ଚଳିତବର୍ଷ କୋଭିଡ ମହାମାରୀ ପାଇଁ ଫିକା ପଡିଯାଇ ଥିବାବେଳେ ଆସନ୍ତାବର୍ଷ କୋରୋନା ମହାମାରୀ ଦୂର ହେବାପାଇଁ ଏକମନରେ ପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି କେନ୍ଦ୍ରାପଡା ବାସିନ୍ଦା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ