କେନ୍ଦ୍ରାପଡା: ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି ୧୮ରୁ ୮୦ ବର୍ଷ ଯାଏଁ ଅଧିକ ରାଜ୍ୟବାସୀ । ଭୋଟ ଦେବେ ନେତା ବାଛିବା ପର୍ବରେ ବୁଥ ଆଗରେ ଲାଗିଛି ଲମ୍ବା ଲାଇନ । ଗାଁ ଗାଁରେ ଥିବା ବୃଦ୍ଧ ବୃଦ୍ଧାମାନେ ମଧ୍ୟ ଭୋଟ ଦେଇଛନ୍ତି । ନିର୍ବାଚନ ପ୍ରକ୍ରିୟା ଦୁଇ ଶତାୟୁ ମହିଳାଙ୍କ ଭେଟଘାଟ ନେଇ ସୁଯୋଗ ପ୍ରଦାନ କରିଛି ।
ଅନେକ ଦିନୁ ଦେଖା ହୋଇନଥିବା ଦୁଇଜଣ ବୃଦ୍ଧା ମତଦାନ କେନ୍ଦ୍ରରେ ଭେଟ ହୋଇଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆଳି ବ୍ଲକ ଦେମାଳ ପଞ୍ଚାୟତ ୧୭ନମ୍ବର ବୁଥରେ ।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ନେତା ବାଛୁଛନ୍ତି ଜନତା । ଏହି ଅବସରରେ ଦୁଇ ଶତାୟୁ ମହିଳା ପରସ୍ପରକୁ ଭେଟିଛନ୍ତି । ସେମାନେ ହେଲେ ଲୋକପଡା ଗାଁର ସରସ୍ବତୀ ସିଂହ ଓ ପାର୍ବତୀ ସାହୁ।
ବୟସାଧିକ କାରଣରୁ ଉଭୟ ଦୀର୍ଘ ଦିନ ଧରି ଭେଟ ହୋଇନଥିବା ବେଳେ ଆଜି ପଞ୍ଚାୟତ ନିର୍ବାଚନ ଉଭୟଙ୍କୁ ସାକ୍ଷାତ କରିବା ସୁଯୋଗ ଆଣିଦେଇଛି। ଉଭୟ ବେଶ ଖୁସି ଥିବା ନଜର ଆସିଛି ।
ଆଜି ରାଜ୍ୟରେ ୭୧ଟି ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଜୋନରେ ୧୬୬୯ ପଞ୍ଚାୟତରେ ନିର୍ବାଚନ ଚାଲିଛି । ଏଥିପାଇଁ ୨୨, ୩୭୯ଟି ବୁଥରେ ମତଦାନ ଚାଲିଛି । କେନ୍ଦ୍ରପଡାରେ ୨,୨୦୦ରୁ ଊର୍ଦ୍ଧ୍ବ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ