କେନ୍ଦ୍ରାପଡ଼ା: ଲକଡାଉନ ସମୟରେ ବୁଲା ଗାଈଗୋରୁ ଓ ବୁଲାକୁକୁରଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ମହାନଗର ପାଇଁ ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଥିବାବେଳେ ଅନ୍ୟ ସ୍ଥାନ ଗୁଡ଼ିକ ପାଇଁ ଦୈନିକ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଥିଲା । ହେଲେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିରେ ଏହି ଚଞ୍ଚକତା କରି ଏହି ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । RTI ତଥ୍ୟ ଆଧାରରେ ଏଭଳି ଅଭିଯୋଗ କରିଛନ୍ତି ଓଡ଼ିଶା ସୂଚନାଧିକାର ଅଭିଯାନ କେନ୍ଦ୍ରାପଡ଼ା ଆବାହକ ।
କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ବୁଲା ଗାଈଗୋରୁ ଏବଂ କୁକୁରମାନଙ୍କ ଖାଦ୍ୟ ପାଇଁ ରାଜ୍ୟ ସରକାର ତିନୋଟି କିସ୍ତିରେ ମୋଟ ୨ଲକ୍ଷ ୮୫ହଜାର ଟଙ୍କା ଦେଇଛନ୍ତି । ୩୨ଦିନରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟି ଦୈନିକ ୫ହଜାର ଟଙ୍କା ହିସାବରେ ୧ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କରିଛି । ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଦାୟିତ୍ବରେ ଏହି ଟଙ୍କା ଖର୍ଚ୍ଚ କରାଯାଇଛି । ଚିହ୍ନଟ ହୋଇଥିବା ମୋଟ ୨୬୭ଟି ବୁଲା କୁକୁରଙ୍କ ପାଇଁ ଦୈନିକ 20 କିଲୋ ଚାଉଳ, ୫ କିଲୋ ଚିକେନରେ ବିରିୟାନୀ ପରଶା ଯାଇଥିବା କୁହାଯାଇଛି ।
ହେଲେ ଏଥିପାଇଁ କେବଳ ଦେଢ଼ କେଜି ଗ୍ୟାସ ଖର୍ଚ୍ଚ ହୋଇଥିବା ନେଇ RTI ତଥ୍ୟରୁ ଜଣାପଡ଼ିଛି । ଏତେ ପରିମାଣର ରୋଷେଇ ପାଇଁ ମାତ୍ର ଦେଢ଼ କେଜି ଗ୍ୟାସ ଖର୍ଚ୍ଚ କଥା କଥା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିପୁଲ ଫର ଆନିମଲ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏହି କାର୍ଯ୍ୟ କରାଯାଉଥିଲା । RTI ତଥ୍ୟ ମୁତାବକ ଏହି କାର୍ଯ୍ୟ ପାଇଁ ପିପୁଲ ଫର ଆନିମଲ ସ୍ବେଚ୍ଛାସେବୀ କର୍ମୀଙ୍କୁ ଦୈନିକ ୯୦୦ ଟଙ୍କା ଦିଆଯାଇଛି ।
ତେବେ ଏହାକୁ ନେଇ ତଦନ୍ତ ଦାବି ହୋଇଛି । ଏହି ଦୁର୍ନୀତିରେ ସ୍ଥାନୀୟ ବିଧାୟକ ଏବଂ ତାଙ୍କ ପୁଅ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି ସଫେଇ ଦେଇଛନ୍ତି କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ । ହେଲେ ଏହାପରେ ମଧ୍ୟ ଅନେକ ପ୍ରଶ୍ନକୁ ଆସୁଛି । ଦୁଇମାସ ଧରି ଲକଡାଉନ ଜାରି ରହିଥିବାବେଳେ କେବଳ ୩୨ଦିନର ଖାଦ୍ୟ କାହିଁକି ଦିଆଗଲା ? ବଳକା ଟଙ୍କାକୁ ମ୍ୟୁନିସିପାଲିଟି କେବେ ସରକାରଙ୍କୁ ଫେରସ୍ତ କରିବ, ସେନେଇ ତଥ୍ୟ ଦେଉନାହିଁ ବିଭାଗ । ଏସବୁ ଦିଗରେ ତଦନ୍ତ କରିବା ଆବଶ୍ୟକ ବୋଲି କୁହାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ