କେନ୍ଦ୍ରାପଡା: ବଦଳୁଛି ସରକାରୀ ଶିକ୍ଷା ବ୍ୟବସ୍ଥା । ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟ ମାନର ଶିକ୍ଷା ସାଙ୍ଗକୁ ପ୍ରାକ୍ଟିକାଲ ଜ୍ଞାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଜିଲ୍ଲାରେ ଏବେ ସରକାରୀ ବିଦ୍ୟାଳୟ ବେସରକାରୀ ବିଦ୍ୟାଳୟ ଠାରୁ ପାଠପଢ଼ାରେ ଆଗରେ ରହିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏଥିରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ ।
ସୌର ଜଗତର ବିଭିନ୍ନ ଗ୍ରହ ନକ୍ଷତ୍ରଙ୍କ ବିଷୟ କେବଳ ପଢ଼ା ବହିରେ ସୀମିତ ନରହି ଏବେ ଛାତ୍ରଛାତ୍ରୀ ଅବିକଳ ଦୃଶ୍ୟ ଦେଖିବେ ଏବଂ ଉପଲବ୍ଧ କରିବେ । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଆଷ୍ଟ୍ରୋଲ୍ୟାବ । କେନ୍ଦ୍ରାପଡ଼ା ଜିଲ୍ଲା ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ, ନିକିରାଇରେ ଆରମ୍ଭ ହୋଇଛି ପ୍ରଥମ ଆର୍ଯ୍ୟଭଟ୍ଟ ଆଷ୍ଟ୍ରୋଲ୍ୟାବ । ଏହି ଲ୍ୟାବରେ ଗ୍ରହ, ଉପଗ୍ରହ, ନକ୍ଷତ୍ର ମାନଙ୍କ ସମ୍ପର୍କରେ ବିଭିନ୍ନ ଶିକ୍ଷା ଦିଆଯିବା ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏହି ବିଦ୍ୟାଳୟରେ ବିଜ୍ଞାନାଗାର ସମ୍ବନ୍ଧୀୟ କୌଣସି ଉପକରଣ ନଥିବା ବେଳେ ଏହି ଲ୍ୟାବଟି ସେମାନଙ୍କୁ ଶୈକ୍ଷିକ ଦିଗରେ ଅନେକ ସହଯୋଗ କରିବ ବୋଲି କହିଛନ୍ତି ଜଣେ ଛାତ୍ର ।
ସେହିଭଳି ଜଣେ ଛାତ୍ରୀଙ୍କ କହିବାନୁଯାୟୀ, ପୂର୍ବରୁ ଥିଓରି କ୍ଳାସ କରାଯାଉଥିଲେ ମଧ୍ୟ ପ୍ରାକ୍ଟିକାଲ ପାଇଁ ସେମାନଙ୍କ ପାଖରେ କୌଣସି ସୁବିଧା ଉପଲବ୍ଧ ନଥିବାରୁ ଅନେକ ସମୟରେ ସେମାନଙ୍କୁ ଗ୍ରହ ନକ୍ଷତ୍ର ସହିତ ଗାଣିତିକ ମଡେଲ ଗୁଡିକ ଜାଣିବା ପାଇଁ ଅସୁବିଧା ହେଉଥିଲା । ଏହି ଲ୍ୟାବରେ ବିଭିନ୍ନ ମହାକାଶଚାରୀଙ୍କ ଚିତ୍ର ରହିଥିବା ବେଳେ ଏଠାରୁ ସେମାନେ ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ବିଦ୍ୟାଳୟକୁ 5T ଯୋଜନାରେ ସାମିଲ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୧୫୨ଟି ବିଦ୍ୟାଳୟ ମଧ୍ୟରୁ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ, ନିକିରାଇ ସ୍ଥାନିତ ହୋଇଛି । ଶୈକ୍ଷିକ ପରିବେଶକୁ ଦୃଢ଼ କରି ପିଲାମାନଙ୍କୁ ସରକାରୀ ବିଦ୍ୟାଳୟ ଗୁଡିକୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା ଆରମ୍ଭ କରିଛନ୍ତି ସେଥିରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିକିରାଇ ବିଦ୍ୟାଳୟର ଚିତ୍ର ବଦଳିଛି । କୋଭିଡ ପୂର୍ବରୁ ଅବହେଳିତ ହୋଇ ପଡିଥିବା ଏହି ବିଦ୍ୟାଳୟ ପରିବେଶକୁ ଏବେ ନୂଆ ଜୀବନଦାନ ମିଳିଛି କହିଲେ ଅତ୍ୟୁକ୍ତି ହେବନାହିଁ ।
କେବଳ ଆଷ୍ଟ୍ରୋଲ୍ୟାବ ନୁହେଁ, ବିଦ୍ୟାଳୟରେ ବଗିଚା ତିଆରି, ଡାଇନିଂ ହଲ ଇତ୍ୟାଦି ନିର୍ମାଣ କରି ପିଲାମାନଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ପାଇଁ ଯୋଜନା ରହିଛି । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀଙ୍କ କହିବା ମୁତାବକ ଏହି ବିଦ୍ୟାଳୟଟିରେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ଶ୍ରେଣୀରେ କେବଳ ଏମାନଙ୍କ ପାଇଁ ଥିଓରୀ କ୍ଳାସ ଉପଲବ୍ଧ ହେଉଥିଲା । ଅନ୍ୟପଟେ ଭାରତ ସମେତ ଦେଶ ବିଦେଶର ମହାନ ଗଣିତଜ୍ଞଙ୍କ ସମ୍ପର୍କରେ ଏହି ଛାତ୍ରଛାତ୍ରୀ କେବଳ ବହିରେ ପଢୁଥିଲେ । ତେବେ ଏହି ଆଷ୍ଟ୍ରୋଲ୍ୟାବ ପ୍ରତିଷ୍ଠା ଫଳରେ ଏବେ ପାଠପଢ଼ା ସହଜ ହେବ ଏବଂ ଏହିଭଳି ସୁନ୍ଦର ପ୍ରଚେଷ୍ଟା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, 5T ସଚିବଙ୍କ ସମେତ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦିଆଯାଇଛି ।
ରାଜ୍ୟର ପ୍ରଥମ ଆର୍ଯ୍ୟଭଟ୍ଟ ଆଷ୍ଟ୍ରୋଲ୍ୟାବ ପ୍ରତିଷ୍ଠା କରି ରେକର୍ଡ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଏବେ ଜିଲ୍ଲାର ଅନ୍ୟ ବିଦ୍ୟାଳୟ ଗୁଡିକରେ ଏଭଳି ପାଠୋପକାରୀ ଲ୍ୟାବ ତିଆରି କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ସରକାରୀ ଶିକ୍ଷା ପ୍ରତି ଥିବା ଦୁର୍ବଳ ମାନସିକତା ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ