କେନ୍ଦ୍ରାପଡା: ସେ ହେଉଛନ୍ତି ଶକ୍ତି ସ୍ୱରୂପିଣୀ, ଜଗଦଜନନୀ । ତାଙ୍କ ଆଗମନେରେ ଝଲସି ଉଠେ ପୂଜା ମଣ୍ଡପ । ମା’ଙ୍କ ଦର୍ଶନ ପାଇଁ ମଣ୍ଡପକୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ବରଷକୁ 9 ଦିନପାଇଁ ଧରାଧାମରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜା କରାଯାଏ । କିନ୍ତୁ ସାରା ବିଶ୍ୱକୁ ଏବେ ମହାମାରୀ ପ୍ରମାଦ ପଡ଼ିଥିବାରୁ କରୋନା ପାଇଁ ସବୁକିଛି ମଳିନ ପଡିଯାଇଛି । ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି ସତ କିନ୍ତୁ ଶ୍ରଦ୍ଧାଳୁ ମାନଙ୍କୁ ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପ ହୋଇଛି ମନା । କିନ୍ତୁ ମା’ଙ୍କ ଅନନ୍ୟ ପୂଜାରୀତିରେ କୌଣସି ବ୍ୟତିକ୍ରମ ଦେଖିବାକୁ ମିଳିନି ।
କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ତିଲଙ୍ଗ ଗ୍ରାମରେ ଜଗଦଜନନୀ ମା' ପୂଜା ପାଇ ଆସୁଛନ୍ତି । ଏହି ପୂଜା ମଣ୍ଡପରେ ମା’ଙ୍କ ପୂଜା ସହିତ ଶ୍ରଦ୍ଧାଳୁ ମାନଙ୍କୁ ବେଶ ଆକୃଷ୍ଟ କରିବା ପାଇଁ ପୂଜା କମିଟି ପ୍ରସ୍ତୁତ କରିଥାଏ ଅଲୋକମାଳା ସହିତ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ । ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେଇଥାନ୍ତି । କିନ୍ତୁ ମହାମାରୀ ପାଇଁ ସବୁକିଛି ମଳିନ ପଡିଯାଇଛି । ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା, ସେ ପୁଣି ବନ୍ଦ କୋଠରୀ ଓ ପରଦା ପଛରେ । ମଣ୍ଡପରେ ଦେଖାଯାଉନାହିଁ ଆଲୋକମାଳା ଓ ହେଉନାହିଁ ଭକ୍ତଙ୍କ ସମାଗମ । ତଥାପି ମା'ଙ୍କୁ ଦର୍ଶନ କରିବା ପାଇଁ କିଛି ଶ୍ରଦ୍ଧାଳୁଙ୍କୁ ଆଜି ପୂଜା ମଣ୍ଡପରେ ଦେଖିବାକୁ ମିଳିଛି । ହେଲେ ମାଙ୍କ ଦର୍ଶନ ନପାଇ ଶ୍ରଦ୍ଧାଳୁଙ୍କୁ ନିରାଶରେ ଫେରିଯାଇଛନ୍ତି ।
ସେହିପରି ସମସ୍ତ ବଙ୍ଗୀୟ ପରମ୍ପରା ଅନୁସାରେ ଡେରାବିଶ୍ ଏଣ୍ଡରସ୍ଥିତ ବଙ୍ଗାଳୀ ସାହିରେ ଆଜକୁ ୫୦୦ ବର୍ଷ ହେବ ମା' ଦଶଭୂଜାଙ୍କୁ ପୂଜା କରାଯାଉଛି । ସମସ୍ତ ସ୍ଥାନରେ ମା'ଙ୍କୁ ବିବାହିତା ବୋଲି ଅଭିହିତ କରାଯାଉଥିଲେ ମଧ୍ୟ ଏଠିକାର ପରମ୍ପରା ସମ୍ପୂର୍ଣ୍ଣ ନିଆରା । ଏଠାରେ ଷଷ୍ଠୀ ଠାରୁ ମା'ଙ୍କର ପୂଜାର୍ଚ୍ଚନା କରାଯାଏ ଝିଅ ଭାବରେ । ଝିଅଟିଏ ବାପଘରେ ଯେଉଁଭଳି ବିନା ଦ୍ବିଧାରେ ସବୁକିଛି ଖାଇଥାଏ ଠିକ ସେହିଭଳି ଏଠାରେ ଶାଗ, ପଖାଳ, ମାଛ ଭଜା, ମାଛ ତରକାରୀ, ବଢି ଇତ୍ୟାଦି ଭୋଗ ଲାଗିହୁଏ ମା’ଙ୍କ ପାଖରେ । ଆହୁରି ମଧ୍ୟ ଏଠାରେ ମା'ଙ୍କ ନିକଟରେ ଲାଗି କରାଯାଉଥିବା ପ୍ରସାଦକୁ କୌଣସି ବ୍ରାହ୍ମଣ କିମ୍ବା ଅନ୍ୟ ଲୋକ ରୋଷେଇ ନକରି ଏହି ବଙ୍ଗାଳୀ ସମ୍ପ୍ରଦାୟର ମହିଳା ମାନେ ରୋଷେଇ କରିଥାନ୍ତି । ସେପେଟେ ଆଜି ମା'ଙ୍କ ଅଷ୍ଟମୀ ପୂଜା ଥିବାରୁ ପଣା ଲାଗି କରିବାକୁ ଭକ୍ତର ମନ ବ୍ୟାକୁଳ ଥିବା ବେଳେ କୋଭିଡ କଟକଣା ମା'ଙ୍କର ଦର୍ଶନରୁ ବଞ୍ଚିତ କରିଛି ।
ମା’ଙ୍କ ଦର୍ଶନ ପାଇଁ ଏବେ ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପ ମନା ହୋଇଥିବା ବେଳେ ହରିବୋଲ ହୁଳହୁଳି ନାଦରେ ପ୍ରକମ୍ପିତ ହେଉଥିବା ପୂଜା ମଣ୍ଡପ ଆଜି ଶ୍ରୀହୀନ ଭଳି ଲାଗୁଛି । ଭକ୍ତମାନେ ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିଶ୍ବରୁ ଏହି ମହାମାରୀକୁ ଜଗଦଜନନୀ ନିଶ୍ଚୟ ଦୁରୀଭୂତ କରିବେ ଆଉ ଆସନ୍ତାବର୍ଷ ପୁଣି ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରି ଆନନ୍ଦିତ ହେବେ ଶ୍ରଦ୍ଧାଳୁ ସେହିଦିନକୁ ରହିବ ସମସ୍ତଙ୍କର ଅପେକ୍ଷା ।
କେନ୍ଦ୍ରାପଡ଼ାରୁ ରାଧକାନ୍ତ ମହାନ୍ତି, ଇଟିଭି ଭାରତ