କେନ୍ଦ୍ରାପଡା: ଆନ୍ଦୋଳନରତ ଜନସାଧାରଣଙ୍କ ଆକ୍ରୋଶରେ କ୍ଷତି ହେଲା ୪୫ ଲକ୍ଷ ଟଙ୍କାର ସମ୍ପତ୍ତି । ଭଦ୍ରକ ଜିଲ୍ଲାର ୪ଟି ବ୍ଲକକୁ ପାନୀୟ ଜଳ ଯୋଗାଣ ପାଇଁ ଆରମ୍ଭ ହୋଇଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିରୋଧ କରି ଗତ ମଙ୍ଗଳବାର ଦିନ ଠାରୁ ସ୍ଥାନୀୟ ଜନସାଧାରଣ ବିରୋଧର ଭିନ୍ନ ଭିନ୍ନ ଉପାୟ ଆରମ୍ଭ କରିଛନ୍ତି।
ତେବେ ଆଜି(ଗୁରୁବାର) କେନ୍ଦ୍ରାଞ୍ଚଳ ପୋଲିସ ନିର୍ଦ୍ଦେଶକ ନରସିଂହ ଭୋଳ ଓ ୧୫ ପ୍ଲାଟୁନ ପୋଲିସ ସମେତ ପୋଲିସ ବିଭାଗର ବଡ଼ବଡ଼ ଅଧିକାରୀ ଉପସ୍ଥିତ ଥାଇ ଉତ୍ୟକ୍ତ ଜନସାଧାରଣ ଅନ୍ୟୁନ ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଛନ୍ତି ବୋଲି ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲାପାଳ, ଆଜି ଦିନ ତମାମ ଲୋକମାନଙ୍କ ଅଭିଯୋଗ ଶୁଣାଣି ପାଇଁ ଆଳି ଠାରେ କ୍ୟାମ୍ପ କରିଥିବା ବେଳେ ଲୋକମାନେ ଆଇନକୁ ହାତକୁ ନେଇଛନ୍ତି ଓ ଭିଡିଓରୁ ସ୍ପଷ୍ଟ ହେଉଥିବା ଲୋକମାନଙ୍କୁ ପୋଲିସ ଦ୍ୱାରା ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।
ଏହି ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର କୌଣସି କ୍ଷତି ହେବନାହିଁ ବୋଲି ଜିଲ୍ଲାପାଳ କହିଥିବା ବେଳେ ଆଦାନୀ କମ୍ପାନୀକୁ ପାଣି ଦିଆଯିବା ନେଇ ଯେଉଁ କଥା ଉଠିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ଏହି ପ୍ରକଳ୍ପ ସହ ନୂତନ ଭାବେ ବ୍ୟାରେଜ ନିର୍ମାଣ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ଏଥିପାଇଁ କିଛିଦିନ ସମୟ ଲାଗିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ଓ ଖୁବଶୀଘ୍ର ଆହୁରି ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ