କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଓଳିହା ନୀଳକଣ୍ଠପୁର ଠାରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ । ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । କେଉଁଠି ରାସ୍ତା ମଝିରେ ଗ୍ରାମବାସୀ ଟାୟାର ଜାଳିଛନ୍ତି ତ କେଉଁଠି କାଦୁଅ ପଚପଚ ରାସ୍ତାରେ ଲୋକେ ତଳି ଲଗାଇଛନ୍ତି । ଫଳରେ ରାସ୍ତାରେ ବସ୍ ଗାଡିମଟର ଅଟକି ରହିଛନ୍ତି ।
ସୂଚନା ଯୋଗ୍ୟ ଯେ ଓରତଘାଟ ଠାରୁ ବଢିହ ରାସ୍ତାର ନିର୍ମାଣ କରାଯାଉଥିବା ବେଳେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତକାମ ପାଇଁ ରାସ୍ତାକୁ ଖୋଳା ଯାଇଛି । ଅନ୍ୟପଟେ ରାସ୍ତା କାମରେ ଠିକାଦାରଙ୍କ ମନୋମୁଖୀ କାମ ଯୋଗୁଁ ରାସ୍ତା କାମ ସମ୍ବନ୍ଧରେ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଫଳରେ ଲୋକଙ୍କ ମନରେ ରାସ୍ତା କାମରେ ସ୍ବଚ୍ଛତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଭଳି କାର୍ଯ୍ୟଧାରା ଯୋଗୁଁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି ।
ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟି ଧନ ଓ ଜୀବନର ହାନି ଘଟୁଛି । ମାତ୍ର ଏଥି ପ୍ରତି କାହାର ଧ୍ୟାନ ନଥିବା ଫଳରେ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ଖୁବଶୀଘ୍ର ସମାଧାନ ନହେଲେ ଆଗକୁ ଏହି ବିକ୍ଷୋଭ ବଡ ଧରଣ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ