କେନ୍ଦ୍ରାପଡା: ପୋଲିସ ପଞ୍ଝାରେ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ । ଦିନରେ ଟାର୍ଗେଟ କରି ରାତିରେ ନିର୍ଦ୍ଦିଷ୍ଟ ଘରୁ ଚୋରି କରୁଥିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ପୋଲିସ ଗିରଫ କରିଥିବା ବେଳେ ଚୋରିରେ ସମ୍ପୃକ୍ତ ଅଟୋ ଡ୍ରାଇଭର ଏବଂ ଅନ୍ୟ ତିନିଜଣ ବ୍ୟକ୍ତିଙ୍କୁ ଚୋରି ଜିନିଷ କିଣିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟପଟେ ପୋଲିସ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପତ୍ନୀ ।
ସୂଚନାନୁଯାୟୀ,କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ଘିଗିଡିଆ ଗାଁର ଶୁଭକାନ୍ତ ପ୍ରଧାନ ଓ ତାଙ୍କ ପତ୍ନୀ ଗତ ୭ ତାରିଖରେ କୌଣସି କାମରେ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ଘରେ ପଶି ସୁନା ଚେନ୍, କାନଫୁଲ, ଝୁଣ୍ଟିଆ ଇତ୍ୟାଦି ଲୁଟ୍ କରି ନେଇଥିଲେ । ଏନେଇ ଶୁଭକାନ୍ତ ସେପ୍ଟେମ୍ବର ୯ ତାରିଖରେ ନିକିରାଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । IIC ଜ୍ୟୋତିର୍ମୟୀ ସେଠୀ ଉକ୍ତ ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ତଦନ୍ତ ସମୟରେ ଡେରାବିଶ୍ ଥାନା ଅନ୍ତର୍ଗତ ନୋଳସାହି ଆଦିବାସୀ ବସ୍ତିର ବୁବୁନା ଦାସ ନାମକ ଜଣେ ଯୁବକଙ୍କ ସମ୍ପୃକ୍ତି ଜଣାପଡିବା ପରେ ପୋଲିସ ବୁବୁନାକୁ ରାତି ଅଧରେ ଉଠାଇ ଆଣି ତଦନ୍ତ ଆରମ୍ଭ କରିଥିଲେ ।
ବୁବୁନା ତାର ସମ୍ପୂର୍ଣ୍ଣ କଳା କାରନାମା ସମ୍ପର୍କରେ ପୋଲିସ ଆଗରେ ବୟାନ ରଖିଥିବା ସୂଚନା ରହିଛି । ବୁବୁନାର ବୟାନ ଆଧାରରେ ଲୁଟ ଘଟଣାରେ ସମ୍ପୃକ୍ତ ଅଟୋ ଡ୍ରାଇଭର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗାଁର ମନୋଜ ମଲିକ, ଚୋରି ଜିନିଷ କିଣିଥିବା ଇନ୍ଦୁପୁର ଅଞ୍ଚଳର ଦୁଇ ବ୍ୟବସାୟୀ ସୁରେନ୍ଦ୍ର ସାହୁ, ବାବାଜୀ ଚରଣ ସାହୁ ଏବଂ ଡେରାବିଶ୍ ଥାନା ଅନ୍ତର୍ଗତ ନୋଳସାହି ଗାଁର ପ୍ରଦୀପ୍ତ ମଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ବୁବୁନାର ଅନ୍ୟ ସମସ୍ତ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ କରାଯିବା ସହ ଗୋଟିଏ ବାଇକ ଓ ଅଟୋ ସମେତ ନଗଦ ୫ ହଜାର ଟଙ୍କା ଜବତ କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. Ganesh Puja 2023: ଚାନ୍ଦାକୁ ନେଇ ଛୁରାମାଡ଼, 2 ଗୁରୁତର
ଅନ୍ୟପଟେ ଗିରଫ ହୋଇଥିବା ନୋଳସାହି ଗାଁର ପ୍ରଦୀପ୍ତ ମଲିକଙ୍କ ପତ୍ନୀ ପୋଲିସଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି । କୌଣସି ଚୋରି ଜିନିଷ କିଣିବାରେ ପ୍ରଦୀପ୍ତଙ୍କ ସମ୍ପୃକ୍ତି ନଥିବା ତାଙ୍କ ପତ୍ନୀ କହିବା ସହ ପୋଲିସ ରାତି ଅଧରେ ଘରେ ପଶି ମାଡ଼ ମାରି ତାଙ୍କ ସ୍ୱାମୀଙ୍କୁ ନେଇ ଆସିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତଙ୍କ ପତ୍ନୀ ଜୟନ୍ତୀ । ଜୟନ୍ତୀଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ଫୋର୍ସ ଗତ ଗୁରୁବାର ଅଧ ରାତିରେ ତାଙ୍କ ଘରେ ପଶି ଅଭଦ୍ରୋଚିତ ବ୍ୟବହାର କରି ବଳପୂର୍ବକ ଲକର ଭାଙ୍ଗି ସୁନା ସାମଗ୍ରୀ ନେଇ ଆସିଛନ୍ତି ।
ଇଟିଭି ଭାରତ,କେନ୍ଦ୍ରାପଡା