କେନ୍ଦ୍ରାପଡା: ଜିଲ୍ଲାର ସର୍ବ ପୁରାତନ ଗ୍ରାମାଞ୍ଚଳ କଲେଜରେ ଅଭିଭାବକ ଅଶାନ୍ତି । ଜୁନିୟର ଏବଂ ଡିଗ୍ରୀ କଲେଜ ମଧ୍ୟରେ ସୁସମ୍ପର୍କ ନ ରହିବା କାରଣରୁ ନିକିରାଇର ବୀର ହନୁମାନଜୀଉ କଲେଜ ବିକାଶ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଆକାଉଣ୍ଟରେ ଟଙ୍କା ଥାଇ ମହାବିଦ୍ୟାଳୟର ମରାମତି ନହେବା ଯୋଗୁଁ ଛାତ୍ରଛାତ୍ରୀ ଭଙ୍ଗା ଘରେ ବସି ପାଠ ପଢୁଛନ୍ତି । ଯାହାକୁ ପ୍ରତିବାଦ କରି ଶୁକ୍ରବାର ସଂଖ୍ୟାଧିକ ଅଭିଭାବକ ଏବଂ ବୁଦ୍ଧିଜୀବୀ କଲେଜ ଆଗରେ ଧାରଣା ଦେଇଛନ୍ତି ।
କଲେଜ ଫଣ୍ଡ ସହ କଲେଜକୁ ସରକାରୀ ଅନୁଦାନ ମିଳିଥିବା ବେଳେ ଏହି ଅର୍ଥ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେଉନାହିଁ । ଛାତ୍ରଛାତ୍ରୀ ଭଙ୍ଗାଘରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ମହାବିଦ୍ୟାଳୟ ମଧ୍ୟକୁ ଅଣଛାତ୍ରଙ୍କ ପ୍ରବେଶ ଯୋଗୁଁ ଅନେକ ସମୟରେ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । 800ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଶିଷ୍ଟ ଏହି କଲେଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ କଲେଜର ଉଭୟ ଅଧ୍ୟକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ଅଭିଭାବକଙ୍କ ଧାରଣା ପରେ ଆସନ୍ତା ସାତଦିନ ମଧ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା ସହ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଅଧ୍ୟକ୍ଷ ନିଜ ପ୍ରତିଶ୍ରୁତି ପୂରଣ ନ କରନ୍ତି ତେବେ ଭବିଷ୍ୟତରେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଧାରଣାରତ ବୁଦ୍ଧିଜୀବୀ ଓ ଅଭିଭାବକ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ