କେନ୍ଦ୍ରାପଡା: ୬ଦିନରେ ପହଞ୍ଚିଲା ଓସା କର୍ମୀଙ୍କ ବିକ୍ଷୋଭ । ହେଲେ ଏବେ ବି ନିଦା ବିଷ୍ଣୁ ସାଜିଛି କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ପ୍ରଶାସନ। ଜଣେ ଦଳିତ ସୂଚନାଧିକାର କର୍ମୀଙ୍କୁ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ବ୍ୟକ୍ତି ଓ ଓସାର ସଦସ୍ୟମାନେ ଦୀର୍ଘ ୬ଦିନ ହେଲା ଧାରଣାରେ ବସିଛନ୍ତି । ସେହିପରି ପଟ୍ଟାମୁଣ୍ଡାଇର ପ୍ରାକ୍ତନ ତହସିଲଦାର ଓ ଅନ୍ୟ କର୍ମଚାରୀ ମୋଟା ଅଙ୍କର ଅର୍ଥ ନେଇ ସରକାରୀ ଜମିକୁ ଅନ୍ୟ ଲୋକ ନାମରେ କରିଥିବା ଅଭିଯୋଗ । ଏହି ସରକାରୀ ଜମିକୁ ଫେରାଇ ଆଣିବା ଦାବି କରି ଗରାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଅହୋରାତ୍ର ଧାରଣାରେ ବସିଛନ୍ତି ଓଡିଶା ସୂଚନାଧିକାର କର୍ମୀ ।
ସୂଚନାନୁଯାୟୀ, ମାର୍ଶାଘାଇ ଥାନା କରଞ୍ଜ ଗାଁର ଦଳିତ ସୂଚନାଧିକାର କର୍ମୀ ଜନକର ଜେନା ନିଜ ଗାଁରେ ନିର୍ମାଣ ହେଉଥିବା ବିଦ୍ୟାଳୟ ଗୁଡ଼ିକର ବ୍ୟୟ ଅଟକଳ ସମ୍ପର୍କରେ ସୂଚନା ମାଗିବା ଥିଲେ । ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ୨୦ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ସୁବୋଧ ଲେଙ୍କା ଜାତିଆଣ ଆକ୍ଷେପ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ମାର୍ଶାଘାଇ ଥାନା,କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲା । ଏହାର ପ୍ରତିବାଦରେ ଗତ ୩୧ ତାରିଖ ଠାରୁ ସୂଚନାଧିକାର କର୍ମୀ ଜନକର ନ୍ୟାୟ ଆଶାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଅନ୍ୟ ଏକ ଅଭିଯୋଗ ଅନୁଯାୟୀ,ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହୀ ଗାଁରେ ଥିବା ଏକ ଅନାବାଦୀ ଜମିକୁ ବେଆଇନ ଭାବେ କାଶୀନାଥ ଭୋଳ ନାମକ ବ୍ୟକ୍ତିଙ୍କ ନାମରେ କରାଯାଇଛି । ପଟ୍ଟାମୁଣ୍ଡାଇର ତତକଳୀନ ତହସିଲଦାର ଓ ଅନ୍ୟ କେତେକ ଅସାଧୁ କର୍ମଚାରୀ ମିଶି ଜାଲ କାଗଜପତ୍ର ମାଧ୍ୟମରେ କାଶୀନାଥଙ୍କ ନାମରେ ଏହି ଜମି କରାଯାଇଥିବା ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଥିଲା । ଏନେଇ ତତକଳୀନ ତହସିଲଦାର ଓ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଗତ ଜୁଲାଇ ମାସରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସୂଚନାଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । କିନ୍ତୁ କୌଣସି ପଦକ୍ଷେପ ନିଆ ନଯିବାରୁ ସେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଅଗଷ୍ଟ ୩୧ ତାରିଖରୁ ଅହୋରାତ୍ର ଧାରଣା ଦେଇଛନ୍ତି ସେ । ତେବେ ଏହି ଦୁଇଟି ଧାରଣାକୁ ୬ଦିନ ବିତିଥିବା ବେଳେ ପ୍ରଶାସନିକ ଅଧିକାରୀ ଏମାନଙ୍କ ନିକଟରେ ପହଞ୍ଚିନଥିବା ଓସା ସଦସ୍ୟ ମାନଙ୍କୁ ଦୁଃଖିତ କରିଛି ।
ଇଟିଭି ଭାରତ, କେନ୍ଦ୍ରାପଡା