କେନ୍ଦ୍ରାପଡା: ଏଯାଏଁ ସରିନି ବାତ୍ୟା ଫନି ପୁନଃଉଦ୍ଧାର କାର୍ଯ୍ୟ । ଫନିକୁ 3 ମାସ ପୂରି ଯାଇଥିଲେ ମଧ୍ୟ ଜିଲ୍ଲାରେ ବିଦ୍ୟୁତ ପୁନଃଉଦ୍ଧାର କାର୍ଯ୍ୟ ଶେଷ ହୋଇନାହିଁ । ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା କେଉଟଗଡ଼ ଗାଁରେ ।
ସୂଚନା ଅନୁଯାୟୀ, ବୁଧବାର କେଉଟଗଡ଼ ଗାଁର ଦେବେନ୍ଦ୍ର ନାୟକ ଅପରାହ୍ନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ ଗତ ବାତ୍ୟା ଫନି ପରେ କେଉଟଗଡ଼ ଗାଁରେ ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତା ଠାରୁ ୩ଫୁଟ ଉଚ୍ଚରେ ଓହଳିଛି । କିନ୍ତୁ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ଖାମାଖିଆଲି ମନୋଭାବ ଯୋଗୁଁ ଏହି ଅସୁବିଧା ଏପର୍ଯ୍ୟନ୍ତ ଦୂର ହୋଇପାରିନାହିଁ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ