କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଚେତନ ନାଗରିକ ମଞ୍ଚ। ସାକ୍ଷରତାରେ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି କେନ୍ଦ୍ରାପଡା । ସେହିପରି ଅର୍ଥନୈତିକ ବିକାଶ ଦିଗରେ ମଧ୍ୟ ରାଜ୍ୟରେ ୨୭ତମ ସ୍ଥାନରେ କେନ୍ଦ୍ରାପଡା ଥିବାବେଳେ କାହିଁକି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉନାହିଁ । ଏନେଇ ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ବଳଦେବଜୀଉଙ୍କ ମନ୍ଦିରରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ଟାଉନ ହଲ ଠାରେ କୋଭିଡ କଟକଣା ଅନୁଯାୟୀ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି।
ଏହି ସଭାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭିତ୍ତିଭୂମି ବିକାଶ ହୋଇଥିବାବେଳେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କାହିଁକି ହୋଇପାରୁନାହିଁ ସେନେଇ ତୀବ୍ର ସମାଲୋଚନା କରାଯାଇଛି । ଜିଲ୍ଲାରେ ୫ ଜଣ ବିଧାୟକ ଓ ସାଂସଦ ଶାସକ ଦଳର ହୋଇଥିବାବେଳେ ଏନେଇ ସ୍ବର ଉତ୍ତୋଳନ ନ କରିବା ସେମାନଙ୍କ ପାରିବା ପଣିଆକୁ ପଦାରେ ପକାଇଛି ବୋଲି ଆଲୋଚନା ହୋଇଛି।
ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଯେପର୍ଯ୍ୟନ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାନଯାଇଛି ସେଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ।
କେନ୍ଦ୍ରାପାଡରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ