କେନ୍ଦ୍ରାପଡା: ହିତାଧିକାରୀଙ୍କୁ ମିଳିନି ରାସନ କାର୍ଡ । ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ରାସନକାର୍ଡ ପାଇଁ ବିଡ଼ିଓଙ୍କ ଗୋଡ଼ ଧରିଲେ ବୃଦ୍ଧ । ଘଟଣାଟି ଲୋକଲୋଚନକୁ ଆସିବା ପରେ ତୁରନ୍ତ ପଦକ୍ଷେପ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ ମାନବାଧିକାର କର୍ମୀ ତଥା ସମାଜସେବୀ ସାଗର ଜେନା ।
ଘଟଣା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ କୋଇଲିପୁର ଗାଁର ୭୦ ବର୍ଷୀୟ ଶତ୍ରୁଘ୍ନ ସାମଲ ରାସନ କାର୍ଡ ଖଣ୍ଡେ ପାଇଁ ୭ ଥରରୁ ଅଧିକ ରାଜକନିକା ବ୍ଲକକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ ବୃଦ୍ଧ ଜଣକ । ବାର୍ଦ୍ଧକ୍ୟ ଅବସ୍ଥାରେ ରାସନ କାର୍ଡରେ ମିଳୁଥିବା ଚାଉଳ ତାଙ୍କର ଶେଷ ସମ୍ବଳ ହୋଇଥିବା ବେଳେ ବାରମ୍ବାର ବ୍ଲକ ପ୍ରଶାସନ ପାଖରେ ରାସନ କାର୍ଡ ପାଇଁ ବିନତୀ କରିଥିଲେ ସୁଦ୍ଧା ପ୍ରଶାସନ ନିଦାବିଷ୍ଣୁ ସାଜିଛି । ବହୁବାର ଅଭିଯୋଗ କରି ନିରାଶ ହେବା ପରେ ଗତ କିଛିଦିନ ତଳେ ଶତ୍ରୁଘ୍ନ ବାଧ୍ୟହୋଇ ରାଜକନିକା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ଗୋଡ଼ ଧରି ରାସନ କାର୍ଡ଼ଟିଏ ପାଇଁ ନେହୁରା ହୋଇଥିଲେ ଯାହାର ଭିଡିଓ ଫୁଟେଜ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।
ଏହା ବି ପଢନ୍ତୁ... ଚାଷୀଙ୍କୁ ଠିକ୍ ସମୟରେ ଉନ୍ନତ ମାନର ବିହନ ଯୋଗାଇବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଘଟଣା ସମ୍ପର୍କରେ ଜାଣିବା ପରେ ମାନବାଧିକାର କର୍ମୀ ସାଗର ଜେନା ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବୃଦ୍ଧ ଶତ୍ରୁଘ୍ନ ସାମଲଙ୍କୁ ରାସନ କାର୍ଡ ଯୋଗାଇଦେବା ପାଇଁ ମୁଖ୍ୟ ସଚିବଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କୁ ଏହି ଘଟଣା ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ଏକ ନିରପେକ୍ଷ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେବା ନେଇ ଅନୁରୋଧ କରିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଶତ୍ରୁଘ୍ନଙ୍କ ପରିବାର ଲୋକେ ଓ ଶତ୍ରୁଘ୍ନ ନିଜେ ଦୀର୍ଘ ବର୍ଷ ଧରି ରାସନ କାର୍ଡ ପାଇଥିବା ବେଳେ ସରକାରୀ ରାସନ ବ୍ୟବସ୍ଥାରେ ଶତ୍ରୁଘ୍ନ ଜଣେ ହିତାଧିକାରୀ ବୋଲି କହିଛନ୍ତି । ତେବେ ଉଭୟ ପକ୍ଷରୁ କିଏ ସତ କହୁଛି ଏହାର ଏକ ନିରପେକ୍ଷ ତଦନ୍ତ କରାଗଲେ ହିଁ ସତ୍ୟାସତ୍ୟ ସାମ୍ନାକୁ ଆସି ପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
ଇଟିଭି ଭାରତ, କେନ୍ଦ୍ରାପଡା