କେନ୍ଦ୍ରାପଡା: ଓଡିଶାରୁ ଉଚ୍ଛେଦ ହୋଇଛି ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ହେବା ପରେ ନିଜ ହକ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ଜିଲ୍ଲାର ବିଭିନ୍ନ ବିଭାଗରେ ଆଉଟସୋର୍ସିଙ୍ଗ କାମ କରୁଥିବା କର୍ମଚାରୀ(odisha govt outsourcing employees federation)। ଶନିବାର ସ୍ଥାନୀୟ ଗରାପୁର ସ୍ଥିତ ଏକ ଘରୋଇ ମଣ୍ଡପରେ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ମତ୍ସ୍ୟ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ,ଉଦ୍ୟାନ, ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ଭଳି ୧୩ଟି ଗୁରୁତ୍ୱପୁର୍ଣ୍ଣ ବିଭାଗରେ କାମ କରୁଥିବା ୨୭୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଏକତ୍ର ହୋଇ ରାଜ୍ୟ ସରକାର ଆଉଟସୋର୍ସିଙ୍ଗ ଭଳି ପ୍ରଥା ଉଚ୍ଛେଦ କରି ସେମାନଙ୍କୁ ନିୟମିତ କରିବା ପାଇଁ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଲାଞ୍ଚ ନେଉଥିଲା ରେଳବାଇ ପୋଲିସ ! ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ, ଯୁବକ ମୃତ
ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ସମାନ କାମକୁ ସମାନ ଦରମା ପ୍ରଦାନ କରିବାକୁ ଦାବି କରାଯାଇଇଛି । ଯଦି ଏହା ପୂରଣ ନହୁଏ ତେବେ ଆସନ୍ତା ମାସରେ ଭୁବନେଶ୍ୱରରେ ସାରା ରାଜ୍ୟରେ କାମ କରୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ଏକାଠି ହୋଇ ଆନ୍ଦୋଳନ କରିବା ସହ ସମସ୍ତ ବିଭାଗର କାର୍ଯ୍ୟକୁ ଠପ୍ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନାନୁସାରେ, ଆଉଟ ସୋର୍ସିଙ୍ଗ ଏଜେନ୍ସି ମାନଙ୍କୁ ସରକାର ଠିକ ସମୟରେ ଟଙ୍କା ଦେଉଥିବା ବେଳେ ଏଜେନ୍ସି ଗୁଡିକ କର୍ମଚାରୀ ମାନଙ୍କୁ ସଠିକ ଭାବରେ ଦରମା ପ୍ରଦାନ କରୁନହାନ୍ତି । ଏହାସହ ବର୍ଦ୍ଧିତ ଦରଦାମ ସମୟରେ ସାମାନ୍ୟ ପ୍ରାପ୍ୟରେ ଘର ଚଳାଇବା ପାଇଁ ଏମାନଙ୍କ ପକ୍ଷରେ କଷ୍ଟକର ବ୍ୟାପାର ବୋଲି କହିଛନ୍ତି ଆବାହକ । ସେହିପରି ଗତ ୨୦୧୮ ମସିହାରେ ଆଉଟ ସୋର୍ସିଙ୍ଗ କର୍ମଚାର ମାନଙ୍କ ଦ୍ୱାରା ଭୁବନେଶ୍ୱରରେ ଆନ୍ଦୋଳନ ହୋଇଥିବା ବେଳେ ଏମାନଙ୍କୁ ଶୀଘ୍ର ସ୍ଥାୟୀ ନିଯୁକ୍ତି ଦିଆଯିବା ନେଇ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହାରି ଭିତରେ ଦୀର୍ଘ ଚାରିବର୍ଷ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।
ଏନେଇ ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ଜିଲ୍ଲା ଆବାହକ କହିଛନ୍ତି ,"ଆମେ ଦୀର୍ଘ ୨୦ ବର୍ଷ ହେଲା ବିଭିନ୍ନ ସରକାରୀ ବିଭାଗରେ ଆଉଟ ସୋର୍ସିଙ୍ଗ ଭାବେ କାମ କରୁଛୁ ।୨୦୧୮ ମସିହାରେ ଆମେ ଏକ ଆନ୍ଦୋଳନ କରିଥିଲୁ । ସେତେବେଳେ ମୁଖ୍ୟ ଶାସନ ସଚିବ ଶୀଘ୍ର ସ୍ଥାୟୀ ନିଯୁକ୍ତି ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇପାରିନାହିଁ । ଆମ କଥା ଶୁଣୁନାହାନ୍ତି ସରକାର । ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆସନ୍ତା ମାସରେ ଭୁବନେଶ୍ୱରରେ ସାରା ରାଜ୍ୟରେ କାମ କରୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ଏକାଠି ହୋଇ ଆନ୍ଦୋଳନ କରିବୁ ଏବଂ ସମସ୍ତ ବିଭାଗର କାର୍ଯ୍ୟକୁ ଠପ କରିଦେବୁ ।"
ଇଟିଭି ଭାରତ, କେନ୍ଦ୍ରାପଡା