କେନ୍ଦ୍ରାପଡ଼ା: ଭିତରକନିକାରେ ବଢିଛି ଡଲଫିନଙ୍କ ସଂଖ୍ୟା । ପୂର୍ବରୁ ଏଠାରେ କେବଳ ୫ ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଥିଲା । ହେଲେ ଗତବର୍ଷ ତୁଳନାରେ ଚଳିତବର୍ଷ ୨ଟି ପ୍ରଜାତି ଓ ୧୯୮ଟି ଡଲଫିନ ଅଧିକ ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ଗତ ଡିସେମ୍ବର ମାସରେ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଏବଂ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ହୋଇଥିବା ଡଲଫିନ ଗଣନା ରିପୋର୍ଟରେ ଏ ସମ୍ପର୍କରେ ପ୍ରକାଶ ପାଇଛି ।
ଓଡ଼ିଶାରେ ମୋଟ ୭୨୬ ଡଲଫିନ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଭିତରକନିକାରେ ୫୪୦ ଡଲଫିନ ଚିହ୍ନଟ ହୋଇଛନ୍ତି । ଭିତରକନିକାରେ କେବଳ ୫ ପ୍ରଜାତିର ଡଲଫିନ ଦେଖିବାକୁ ମିଳିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ୨ଟି ପ୍ରଜାତି ଓ ୧୯୮ଟି ଡଲଫିନ ଅଧିକ ଦେଖିବାକୁ ମିଳିଛି । ଭିତରକନିକାରେ ଇରାୱାଡି ଜାତୀୟ ଡଲଫିନ ୪୫ଟି, ବଟଲ୍ନୋଜ ୧୩୫, ହମ୍ପବ୍ୟାକ୍ ୩୩୨, ଷ୍ଟ୍ରିପେଡ୍ ୧୩ ଓ ସ୍ପିନର ପ୍ରଜାତିର ୧୫ଟି ଡଲଫିନ ଚିହ୍ନଟ କରାଯାଇଛି ।
ସ୍ପିନର, ଷ୍ଟ୍ରିପେଡ୍ ଓ ହମ୍ପବ୍ୟାକ୍ ପ୍ରଜାତିର ଡଲଫିନ୍ କେବଳ ଭିତରକନିକାରେ ହିଁ ଦେଖିବାକୁ ମିଳିଛି । ଗତ ଡିସେମ୍ବର ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ୯ଟି ଟିମ ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥାର ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ଏହି ଡଲଫିନଙ୍କ ଗଣନା କରିଥିଲେ । ବିଶ୍ବପ୍ରସିଦ୍ଧ ଜାତୀୟଉଦ୍ୟାନ ଭିତରକନିକା ବିରଳ ବଉଳାକୁମ୍ଭୀର ଓ ଗହୀରମଥା ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ଥିଲା ।
ଏବେ ଭିତରକନିକା ପରିଚୟରେ ଆଉ ଏକ ନୂଆ ଫର୍ଦ ଯୋଡି ହେବାକୁ ଯାଉଛି । ଓଡିଶାରେ ସବୁଠୁ ଅଧିକ ପ୍ରଜାତିର ଡଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳିଛି । କେବଳ ସବୁଠୁ ଅଧିକ ପ୍ରଜାତିର ନୁହେଁ, ଅଧିକ ସଂଖ୍ୟାରେ ଡଲଫିନ ଶାବକଙ୍କୁ ଦେଖିବାକୁ ମିଳିଥିବାରୁ ଗହୀରମଥା ଡଲଫିନଙ୍କ ଏନ୍ତୁଡିଶାଳ ପାଲଟିଛି କହିଲେ ଭୁଲ ହେବନାହିଁ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ