କେନ୍ଦ୍ରାପଡା: ଭିତରକନିକା ପାଇଁ ମହାଲଢେଇରେ NGT ଛାଟ । ମିଥ୍ୟା ତଥ୍ୟ ଦେଇ ପୂର୍ବରୁ NGTକୁ ଭୁଆଁ ବୁଲାଇବା ରାଜ୍ୟ ସରକାରଙ୍କୁ ଏବେ ହରଡ଼ଘଣାରେ ପକାଇଛି । କେନ୍ଦ୍ରାପଡ଼ା ସହରର ପରିବେଶବିତ୍ କ୍ଷିତିଶ ରୋଶନ ସିଂହଙ୍କ ଦ୍ଵାରା ଦାୟର କରାଯାଇଥିବା ଅଭିଯୋଗର ଶୁଣାଣି କରି କୋଲକାତା ପୂର୍ବାଞ୍ଚଳ ଜୋନ୍ ବେଞ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରାପଡ଼ା ରାଜକନିକା ତହସିଲ ଅଧିନ ବରୁଣାଡ଼ିହାଠାରେ ବସୁଧା ଯୋଜନାରେ 892କୋଟି ଟଙ୍କାରେ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପ ଉଭୟ ପରିବେଶ ଓ ସାମାଜିକ ବ୍ୟବସ୍ଥା ଉପରେ କ'ଣ ପ୍ରଭାବ ପକାଇବ ସେନେଇ ଉତ୍ତର ଦେବାକୁ ଚାରି ସପ୍ତାହ ମହଲତ ଦେଇଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ଏହି ପ୍ରକଳ୍ପ ହେଲେ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ନଷ୍ଟ ହେବା ସହ ପରିବେଶ ଉପରେ ଏହାର କୁପ୍ରଭାଵ ପଡିବ । ଏହି ଅଭିଯୋଗର ଶୁଣାଣି କରି ଜଷ୍ଟିସ ଅମିତ ସ୍ଥଳେକାର ଓ ଜୁଡିସିଆଲ ମେମ୍ବର ଶୈବାଲ ଦାସଗୁପ୍ତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ମାମଲାର ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଅଂଶୁମାନ ନାୟକ ଖଣ୍ଡପୀଠକୁ ପୂର୍ବରୁ ରାଜ୍ୟ ସରକାରଙ୍କ ଜଳ ଓ ପରିମଳ ବିଭାଗର ସଚିବ ଟ୍ରିବୁନାଲ ଓ ଜନସାଧାରଣଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଦସ୍ତାବିଜ ଉପସ୍ଥାପନ କରିଥିଲେ ।
ରାଜ୍ୟ ସରକାରଙ୍କ ବିଭାଗ ପ୍ରଦାନ କରିଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ ଏହି ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପରିବେଶ ଉପରେ କି ପ୍ରଭାବ ପଡିବ ସେନେଇ କୌଣସି ତଦନ୍ତ କରାଯାଇନଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଭିତରକନିକା ଇକୋ ସେନସିଟିଭି ଜୋନ ମନିଟରିଂ କମିଟି ସଦସ୍ୟଙ୍କ ଅଜାଣତରେ ଓ କୋରମ ଅଭାବରେ ଏଭଳି ମେଗା ପାନୀୟଜଳ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିବା ଦସ୍ତାବିଜ ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
ଏହି ମେଗା ପାନୀୟଜଳ ପ୍ରକଳ୍ପ ସମ୍ପର୍କରେ ESIA ଅଧ୍ୟୟନ କରାଯାଉ ବୋଲି ମନିଟରିଂ ଜୋନ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଦାବି କରିଥିବା ବେଳେ IIT, ହାଇଦ୍ରାବାଦ ଏହି ପ୍ରକଳ୍ପ ହେଲେ ପରିବେଶ ଉପରେ କୌଣସି ପ୍ରଭାବ ରହିବ ନାହିଁ ବୋଲି ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଯେତେବେଳେ କି IIT, ହାଇଦ୍ରାବାଦ ଦ୍ବାରା ଏଭଳି କୌଣସି ତଦନ୍ତ କରାଯାଇନଥିବା, କୌଣସି ଜଣେ ହେଲେ ଅଧ୍ୟାପକ କିମ୍ବା ପ୍ରଫେସର ଓଡିଶାକୁ ଆସିନଥିବା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଗବେଷଣା ପାଇଁ କୌଣସି ଚିଠି କରାଯାଇନଥିବା RTI ବଳରେ ସୂଚନା ମିଳିଛି । ସେହିପରି IIT,ହାଇଦ୍ରାବାଦର ସିଭିଲ ଇଞ୍ଜିନିୟରିଂ ପ୍ରାଧ୍ୟାପକ ଡ଼ଃ ଶଶୀଧର ଦେଇଥିବା ରିପୋର୍ଟ ତାଙ୍କ ନିଜସ୍ବ ଓ ସେ କୌଣସି ଅନୁସନ୍ଧାନ କରିନଥିବା ଇ-ମେଲ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଖରସ୍ରୋତା ନଦୀରୁ ମୁନ୍ଦାଏ ପାଣି ନ ଦେବାକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଓ ଆନ୍ଦୋଳନକାରୀମାନେ ଦୀର୍ଘ ଦୁଇମାସ ହେବ ଏହି ପ୍ରକଳ୍ପକୁ ଜୋରଦାର ବିରୋଧ କରି ଆସୁଛନ୍ତି । ପ୍ରକଳ୍ପ ଦ୍ବାରା ବିଶ୍ବର ଦ୍ଵିତୀୟ ସର୍ବବୃହତ ହେନ୍ତାଳବଣ ନଷ୍ଟ ହେବ ଏବଂ ସାମାଜିକ ଓ କୃଷିଗତ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ଏହି ବିରୋଧଭାସ ମଧ୍ୟରେ NGTର ନିର୍ଦ୍ଦେଶାନାମା ଏବେ ସରକାରଙ୍କୁ ଅଡ଼ୁଆରେ ପକାଇବା ଏକ ପ୍ରକାର ଥୟ ବୋଲି ସୂଚନା ଦେଇଛନ୍ତି ଅଭିଯୋଗକାରୀ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ