କେନ୍ଦ୍ରାପଡା: ଚତୁର୍ଥୀର ହୋମନିଆଁ ଲିଭିବା ଆଗରୁ ବିଧବା ହୋଇଗଲେ ମହିଳା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ବ୍ଲକ ଦୁର୍ଗାଦେବିପଡା ଗାଁରେ ।
ଏହି ଗାଁର ସଞ୍ଜୟ ନାୟକ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଚଳିତ ମାସ ୯ ତାରିଖରେ ତାଙ୍କ ବିବାହ ଏହି ବ୍ଲକ ଓଳାଭାର ପଞ୍ଚାୟତର ଏକ ଗାଁରେ ସ୍ଥିର ହୋଇଥିବା ବେଳେ ସଞ୍ଜୟ ଓ ତାଙ୍କ ବଡଭାଇ ୧ ତାରିଖ ଦିନ ବେଙ୍ଗାଲୁରୁରୁ ଗାଁକୁ ଫେରିଥିଲେ । ଫେରିବା ବେଳେ ସରକାରୀ ନିୟମାନୁଯାୟୀ କୋଭିଡ ନେଗେଟିଭ ରିପୋର୍ଟ ମଧ୍ୟ ନେଇ ଆସିଥିଲେ ।
ତେବେ ୯ ତାରିଖ ଦିନ ବିବାହ ବେଳକୁ ସେ ଥଣ୍ଡା ଜ୍ବରରେ ପୀଡିତ ଥାଇ ସୁଦ୍ଧା ବିବାହ କରିଥିଲେ । ୧୨ ତାରିଖରେ ଚତୁର୍ଥୀ ପିଣ୍ଡ ପଡିବା ପରେ ହଠାତ ସଂଜୟଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ପରିବାର ଲୋକେ ସଞ୍ଜୟଙ୍କୁ ପ୍ରଥମେ ଯାଜପୁର ମେଡିକାଲକୁ ନେଇଯାଇଥିଲେ ମଧ୍ୟ ସେଠାରେ କୌଣସି ସୁଫଳ ନମିଳିବାରୁ ସଞ୍ଜୟଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରିବାର ଲୋକେ ଯୋଜନା କରୁଥିବା ବେଳେ ସଞ୍ଜୟଙ୍କର ମୃତ୍ୟୁ ଘଟିଥିଲା ।
ଅନ୍ୟପଟେ ସଞ୍ଜୟଙ୍କ ମୃତଦେହ ଘରେ ପହଞ୍ଚିବା ଆଗରୁ କନ୍ୟାକୁ ନିଜ ଘରକୁ ନେଇଯାଇଛନ୍ତି ପରିବାର ଲୋକେ । ସଂଜୟଙ୍କ ମୃତ୍ୟୁ କୋଭିଡ ଜନିତ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହା କୋଭିଡ ଜନିତ ମୃତ୍ୟୁ ବୋଲି ଲୋକେ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ