କେନ୍ଦ୍ରାପଡା: ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, କେନ୍ଦ୍ରାପଡା ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବିଜେଡି କାଉନସିଲର ଆକବରୀ ଖାତୁନ । ସେ କେନ୍ଦ୍ରାପଡା ମୁନିସିପାଲିଟିର ୧୪ ନମ୍ବର ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଉପାଧ୍ୟକ୍ଷ ପାଇଁ ପ୍ରତିଦ୍ବନ୍ଦିତା କରି ସେ ନିଜ ସପକ୍ଷରେ ୧୫ ଗୋଟି ଭୋଟ ସଂଗ୍ରହ କରିଥିଲେ । ତାଙ୍କ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଦାସ ୫ ଖଣ୍ଡ ଭୋଟ ପାଇଥିଲେ । ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ସେ ସମସ୍ତ ୨୧ ଗୋଟି ୱାର୍ଡର ରାସ୍ତା, ପାନୀୟଜଳ ଯୋଗାଣ, ଡ୍ରେନେଜ ଓ ଆଲୋକୀକରଣ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି କହିଛନ୍ତି ।
ଅନ୍ୟପଟେ ଦୀର୍ଘ ବର୍ଷ ତଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ପ୍ରାର୍ଥୀଙ୍କୁ ଉପାଧ୍ୟକ୍ଷା କରାଯାଇଥିବା ବେଳେ ଆଜି ଏହାର ପୁନରାବୃତ୍ତି ସହରରେ ବିଜେଡିର ଭୋଟ ବ୍ୟାଙ୍କକୁ ବୃଦ୍ଧି କରାଇବାରେ ସହଯୋଗୀ ହେବ । ତେବେ ଆଜି ନିର୍ବାଚନରେ ବିଜେଡି ଦଳର ଏଜେଣ୍ଟ ଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ବସିଥିବା ବେଳେ ସମସ୍ତ ଅସନ୍ତୁଷ୍ଟ ବିଜୟୀ ପ୍ରାର୍ଥୀଙ୍କୁ ଦଳ ସପକ୍ଷରେ ଆଣିବାରେ ସମର୍ଥ ହୋଇଥିଲେ । ବିଜେପିର ଏକମାତ୍ର ପ୍ରାର୍ଥୀନୀ ଭାବେ ଅନୀମା ନାୟକ କାଉନସିଲର ଭାବେ ବିଜୟୀ ହୋଇଥିଲା ବେଳେ ଆଜି ଅନୁଷ୍ଠିତ ଉପାଧ୍ୟକ୍ଷା ନିର୍ବାଚନରେ ସେ ଭୋଟିଂରୁ ବିରତ ରହିଥିଲେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ