କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବିଇଓ ଅଫିସରେ ଭିଜିଲାନ୍ସ ରେଡ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନସନ କରାଇ ଦେବାକୁ ମାର୍ଶାଘାଇ ବିଇଓ ଶତ୍ରୁଘ୍ନ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢ଼ଉ କରିଥିଲା । ହେଲେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବିଇଓ ଶତ୍ରୁଘ୍ନ ଅଫିସ ପଛ ପଟ ଦ୍ୱାର ଦେଇ ଖସି ପଳାଇଛନ୍ତି ।
ରାଜ୍ୟ ଭିଜିଲାନ୍ସ ବିଭାଗ ସୂଚନା ଅନୁଯାୟୀ, ଆଜି ସକାଳେ ମାର୍ଶାଘାଇ ମଣ୍ଡଳ ଶିକ୍ଷାଧିକାରୀ (BEO) ଶତ୍ରୁଘ୍ନ ବେହେରା ଏହି ଅଫିସର ପୂର୍ବତନ ସେକ୍ସନ ଅଫିସର ଭଞ୍ଜକିଶୋର ନାୟକଙ୍କ ପ୍ରୋଭିଜିନାଲ ପେନସନ ଓ ଗ୍ରାଚୁରିଟି ଟଙ୍କା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଇ ନିଜ ଅଫିସ ଟେବୁଲ ଡ୍ରରେ ରଖିଥିଲେ । ତେବେ ଅଭିଯୁକ୍ତଙ୍କ ଟେବୁଲ ଡ୍ରରରୁ ସାକ୍ଷୀଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ ହୋଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ଭିଜିଲାନ୍ସ ଡିଏସପି ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଦୁଇଜଣ ଆଇଆଇସି ଓ ୫ଜଣ ଭିଜିଲାନ୍ସ କର୍ମଚାରୀ ତାଙ୍କ ଠାରୁ ଟଙ୍କା ଜବତ କରିଥିଲେ ।
ବିଇଓ ଶତ୍ରୁଘ୍ନ ବେହେରା ଚତୁରତାର ସହ ସେଠାରୁ ଖସିଯିବାରେ ସମର୍ଥ ହୋଇଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ଏବେ ଶତ୍ରୁଘ୍ନଙ୍କ ଲାଞ୍ଚ ନେବା ସମ୍ପୃକ୍ତି ଘଟଣାକୁ ଅନ୍ୟ ଦିଗକୁ ଦର୍ଶାଉଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ପାଇଛନ୍ତି ହେଲେ କୌଣସି ଲିଖିତ ସୂଚନା ନଥିବାରୁ ସେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିନଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
ଅନ୍ୟପଟେ ନିଜ କଥାରେ ତାଳମେଳ ନରହିବାରୁ ଡିଇଓଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେଉଛି । ସମସ୍ତ ସରକାରୀ କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ ହୋଇଥିବା ବେଳେ କାହିଁକି ମାର୍ଶାଘାଇ ବିଇଓ ଅଫିସରେ ସିସିଟିଭି ଲଗାଯାଇ ନଥିଲା ସେନେଇ ଏବେ ପ୍ରଶ୍ନ ଉଠିଲାଣି ।
କେବଳ ଏହି ଗୋଟିଏ ଘଟଣା ନୁହେଁ ଦୀର୍ଘବର୍ଷ ଧରି ଶିକ୍ଷା ବିଭାଗରେ ବଦଳି, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟପାଇଁ ଲାଞ୍ଚ ଜରୁରୀ ହୋଇଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସ୍ଥାଣୁ ପାଲଟିବା କାରଣରୁ ଜଣେ ବରିଷ୍ଠ ଅଧିକାରୀ ଲାଞ୍ଚ ନେବା ପାଇଁ ସାହସ କଲେ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଫେରାର ହୋଇଯାଇଥିବା ବିଇଓ ଶତ୍ରୁଘ୍ନଙ୍କୁ ଏପର୍ଯ୍ୟନ୍ତ ଭିଜିଲାନ୍ସ ଧରିବାରେ ବିଫଳ ହୋଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ